‘ମୁମ୍ବାଇ : କୌନ୍‌ ବନେଗା କରୋଡପତି’ରେ ଏକ ସରଳ ପ୍ରଶ୍ନର ଉତ୍ତର ଦେଇ ନ ପାରି ଉପହସିତ ହୋଇଛନ୍ତି ସୋନାକ୍ଷୀ ସିହ୍ନା। ପ୍ରୋଗ୍ରାମ୍‌ ହୋଷ୍ଟ ଅମିତାଭ ବଚ୍ଚନ ପଚାରିଥିବା ପ୍ରଶ୍ନଟି ଥିଲା: ହନୁମାନ୍‌ କାହା ପାଇଁ ସ˚ଜୀବନୀ ଗୁଳ୍ମ ଆଣିଥିଲେ? ସୋନାକ୍ଷୀଙ୍କୁ ଏହି ‘ରାମାୟଣ’ ଆଧାରିତ ସରଳ ପ୍ରଶ୍ନର ଉତ୍ତର ଜଣା ନଥିବାରୁ ହଡ଼ବଡ଼େଇ ଯାଇଥିଲେ। ପ୍ରଥମେ ଅନୁମାନ ଲଗାଇ ଉତ୍ତର ଦେଇଥିଲେ- ସୀତା। ତାହା ପରେ କହିଥିଲେ- ରାମ। ଶେଷରେ ଦର୍ଶକଙ୍କଠାରୁ ଉତ୍ତର ଚାହିଥିଲେ। ତାଙ୍କର ‘ରାମାୟଣ’ ଜ୍ଞାନକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଥଟ୍ଟା-ପରିହାସର ସୁଅ ଛୁଟିଛି। କାରଣ, ସୋନାକ୍ଷୀଙ୍କ ପରିବାର ‘ରାମାୟଣ’ ଦ୍ବାରା ବିଶେଷ ପ୍ରଭାବିତ ବୋଲି କୁହାଯାଏ। ସୋନାକ୍ଷୀଙ୍କ ପିତା ହେଉଛନ୍ତି ଖ୍ୟାତନାମା ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା। ଶତ୍ରୁଘ୍ନଙ୍କ ବଡ଼ ଭାଇମାନଙ୍କ ନାମ- ରାମ, ଲକ୍ଷ୍ମଣ ଓ ଭରତ। ସୋନାକ୍ଷୀଙ୍କ ଦୁଇ ଭାଇଙ୍କ ନାମ- ଲବ ଓ କୁଶ। ପିତାଙ୍କ ବାସଭବନର ନାମ- ରାମାୟଣ। ‘ରାମାୟଣ’ ସହ ଏତେ ଏତେ ସ˚ପର୍କ ଥାଇ, ଏ ସ˚ପର୍କିତ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।