ମୁମ୍ବାଇ: ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ କର୍କଟ ରୋଗରେ ପୀଡ଼ିତ ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ବିଷାଦର ଛାୟା ଖେଳିଯାଇଥିଲା। ଏମିତି କି ସମଗ୍ର ବଲିଉଡ୍ ଜଗତ ଏ ଖବର ପାଇ ସ୍ତମ୍ଭୀଭୂତ ହୋଇଥିଲା। ଏବେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ମଧ୍ୟ କର୍କଟ ରୋଗରେ ପୀଡ଼ିତ ଥିବା ନେଇ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କୁ ବଡ଼ ଝଟ୍କା ଲାଗିଛି। କେହି କେହି ଏହି ଖବରକୁ ବିଶ୍ୱାସ କରିପାରି ନ ଥିବା ବେଳେ କିଛି ଫ୍ୟାନ୍ ଏହାକୁ ଗୁଜବ ବୋଲି ଅଭିହିତ କରୁଛନ୍ତି। କିନ୍ତୁ ଖୋଦ ସୋନାଲୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଏବଂ ସେ କର୍କଟ ସହ ସଂଗ୍ରାମ କରୁଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ୍ କରିଛନ୍ତି। ସୋନାଲି ଏବେ କର୍କଟ ରୋଗରେ ପୀଡ଼ିତ। କର୍କଟ ସାରା ଶରୀରକୁ ବ୍ୟାପିଗଲାଣି। କେତେବେଳେ କ’ଣ ହେବ କିଛି କହିହେଉ ନାହିଁ। ଯନ୍ତ୍ରଣା ବି ଅସହ୍ୟ ହେଲାଣି।
ଏ ନେଇ ସୋନାଲୀ କହିଛନ୍ତି, ଶରୀରର ଏକ ଅଂଶରେ ଅସହ୍ୟ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପରୀକ୍ଷା କରାଇଥିଲେ। ରିପୋର୍ଟ ଫଳାଫଳ ଦେଖି ସେ ହତ୍ବାକ୍ ହୋଇପଡ଼ିଥିଲେ। ହାଇଗ୍ରେଡ୍ ମେଟାଷ୍ଟେଟିକ୍ କର୍କଟ ରୋଗରେ ପୀଡ଼ିତ ବୋଲି ଜାଣି ମର୍ମାହତ ହୋଇପଡ଼ିଥିଲେ। ଏ କଥା ସୋନାଲୀ ଆଜି ନିଜ ଇନଷ୍ଟାଗ୍ରାମ୍ ଏବଂ ଟ୍ଵିଟର ଆକାଉଣ୍ଟ୍ରେ ପୋଷ୍ଟ୍ କରି ନିଜ ଫ୍ୟାନ୍ମାନଙ୍କୁ ଅବଗତ କରାଇଛନ୍ତି। ୪୩ ବର୍ଷୀୟା ଏହି ଅଭିନେତ୍ରୀ ଏବେ ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି। ଟ୍ଵିଟର୍ରେ ନିଜର ଭାବାବେଗ ବର୍ଣ୍ଣନା କରି ସୋନାଲୀ କହିଛନ୍ତି, ବେଳେବେଳେ ଆମେ ଯାହା କଳ୍ପନା ବି କରିନଥିବା ସେମିତି କିଛି ଜୀବନରେ ଘଟିଯାଏ। ଜୀବନର ମୋଡ଼ ହଠାତ୍ ବଦଳିଯାଏ। ନିକଟରେ ମୁଁ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବା ପରେ ଏହା ମୋ ଜୀବନରେ ଘଟିଛି। କର୍କଟରେ କେବେ ଆକ୍ରାନ୍ତ ହେବି ବୋଲି ଚିନ୍ତା ବି କରି ନଥିଲି। କିନ୍ତୁ ଆଜି ମୁଁ ଏହାର କବଳରେ। ଏହାସହ ଏବେ ଲଢ଼େଇ କରୁଛି। କର୍କଟର ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି ବୋଲି ‘ଦହେକ୍’, ‘ଜଖ୍ମ’, ‘ସର୍ଫାରୋସ’, ‘ଦିଲ୍ ଜଲେ’, ‘ଡୁପ୍ଲିକେଟ୍’, ‘ହମାରା ଦିଲ୍ ଆପ୍କେ ପାସ୍ ହେଁ’, ‘ହମ୍ ସାଥ୍ ସାଥ୍ ହେଁ’ ଭଳି ହିଟ୍ ଦେଇଥିବା ସୋନାଲୀ କହିଛନ୍ତି। ତେବେ ଜୀବନର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପରିବାର ଏବଂ ବନ୍ଧୁମାନେ ତାଙ୍କୁ ଖୁବ୍ ଶକ୍ତି ଯୋଗାଇଛନ୍ତି ଏବଂ ତାଙ୍କର ଅରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଭଗବାନଙ୍କ ଉପରେ ଭରସା ରଖି ସେ ଜୀବନର ପ୍ରତ୍ୟେକଟି କଷ୍ଟଦାୟକ ସ୍ଥିତିର ସାମ୍ନା କରୁଛନ୍ତି ବୋଲି ସୋନାଲୀ କହିଛନ୍ତି।
ଘଟଣା ସମ୍ପର୍କରେ ଜାଣିବା ପରେ ଅଭିନେତ୍ରୀ ନେହା ଧୂପିଆ ସୋନାଲୀଙ୍କୁ କହିଛନ୍ତି, ତୁମେ ଜଣେ ଅଦ୍ଭୁତ ମହିଳା, ତୁମ ନିକଟରେ ଅପାର ଶକ୍ତି ରହିଛି। ତୁମେ କର୍କଟକୁ ହରାଇ ପାରିବ। କିଛି ଚିନ୍ତା କରନାହିଁ। ସବୁ ଠିକ୍ ହୋଇଯିବ। ଅଭିନେତା ବିବେକ ଓବରୟ କହିଛନ୍ତି, ମୁଁ ସବୁବେଳେ ଆପଣଙ୍କଠାରୁ ପ୍ରେରଣା ନେଇଥାଏ। ଆପଣଙ୍କର ଆଦର ଓ ସମ୍ମାନ କରେ। ଆପଣ ଜଣେ ବିରଳ ମହିଳା। ଆପଣ ଜଣେ ଲେଖକ, ଅଭିନେତ୍ରୀ ଏବଂ ଜଣେ ମା’ ଓ ଜଣେ ପତ୍ନୀ। ମୁଁ ନିଶ୍ଚିତ ଯେ କର୍କଟ ଆପଣଙ୍କଠାରୁ ହାରିଯିବେ ବୋଲି ବିବେକ କହିଛନ୍ତି।