ଇନ୍ଦୋର: ବିବାହର କିଛି ଦିନ ପରେ ପତ୍ନୀ ସୋନମଙ୍କୁ ନେଇ ହନିମୁନ ପାଇଁ ଯାଇଥିବା ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା। ପ୍ରେମିକ ସହ ମିଶି ପତ୍ନୀ, ରାଜାଙ୍କୁ ହତ୍ୟା କରିଥିଲା। ଏହିି ମାମଲାରେ ଗିରଫ ହୋଇ ସୋନମ ରଘୁବଂଶୀକୁ ୮ଦିନିଆ ରିମାଣ୍ଡରେ ପଠାଯାଇଥିଲା। ଏହା ସମାପ୍ତ ହେବା ପରେ, ତାଙ୍କ ରିମାଣ୍ଡ ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏହାକୁ ନେଇ ରାଜା ରଘୁବଂଶୀଙ୍କ ଭାଇ ସଚିନ ରଘୁବଂଶୀ କହିଛନ୍ତି ଯେ, ସୋନମ କାହାକୁ ବଞ୍ଚାଉଛନ୍ତି। ସେହି ବ୍ୟକ୍ତିଙ୍କୁ ଖୋଜାଯିବା ଉଚିତ। ସୋନମ ରାଜାଙ୍କୁ କାହିଁକି ହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ?

Advertisment

ରାଜା ରଘୁବଂଶୀଙ୍କ ଭାଇ ସଚିନ ରଘୁବଂଶୀ କହିଛନ୍ତି ଯେ, ୮ଦିନିଆ ରିମାଣ୍ଡରେ ସୋନମ କହି ନାହାଁନ୍ତି ଯେ ସେ ରାଜାଙ୍କୁ କାହିଁକି ହତ୍ୟା କରିଛନ୍ତି? ତେବେ ସେ ଦୁଇ ଦିନ ମଧ୍ୟରେ କଣ କହିବେ? ସେଥିପାଇଁ ମୁଁ ନାର୍କୋଟିକ୍ସ ପରୀକ୍ଷା କରିବାକୁ ଦାବି କରୁଛି। ନାର୍କୋଟିକ୍ସ ପରୀକ୍ଷା ଦ୍ୱାରା ଜଣାପଡିବ ଯେ, ଏହି ସମ୍ପୂର୍ଣ୍ଣ ମାମଲା ପଛରେ କିଏ ଅଛି? ସୋନମ କାହାକୁ ସୁରକ୍ଷା ଦେଉଛନ୍ତି? ଏହି ମାମଲାରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥାଇପାରନ୍ତି।

ସଚିନଙ୍କ କହିବା ମୁତାବକ, ରାଜାଙ୍କୁ ହତ୍ୟା କରିବା ପଛରେ କାରଣ ବୁଝିବା ଗୁରୁତ୍ୱପୂର୍ଣ୍ଣ। ସେ କାହିଁକି ବିବାହ କରିଥିଲେ? ତାଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଥିଲା କି? ତଦନ୍ତ ହେଲେ ଏସବୁ ଜଣାପଡିବ। ସଚିନ କହିଛନ୍ତି ଯେ, ମୋତେ ଲାଗୁଛି ବିବାହ ପାଇଁ ସୋନମଙ୍କୁ କେହି ଟଙ୍କା ଦେଇଥିଲେ। ନହେଲେ ସେ ଏତେ ଟଙ୍କା କେଉଁଠାରୁ ପାଇଲେ?

ତେବେ ଏହି ୨ଦିନ ରିମାଣ୍ଡରେ ସୋନମ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବେ ବୋଲି ବିଶ୍ବାସ ରଖିଛନ୍ତି ରାଜାଙ୍କ ମା’।