ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ଗିରଫ ହୋଇଥିବା ଲଦାଖର ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଦାଖଲ କରିଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଓ ଲଦାଖ ପ୍ରଶାସନଠାରୁ ଜବାବ ମାଗିଛନ୍ତି। ତେବେ କେନ୍ଦ୍ର ସରକାର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ କୋର୍ଟଙ୍କୁ କହିଛନ୍ତି ଯେ ୱାଙ୍ଗଚୁକ୍ଙ୍କ ଗିରଫକୁ ନେଇ ଏହି ଆବେଦନ ଉତ୍ତେଜନା ସୃଷ୍ଟି ଓ ପ୍ରଚାର ଉଦ୍ଦେଶ୍ୟରେ କରାଯାଇଛି। ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର, ଲଦାଖ ପ୍ରଶାସନ ଓ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍କୁ ନୋଟିସ୍ ଜାରି କରି ଅକ୍ଟୋବର ୧୪ରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି। ଆଙ୍ଗମୋଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ ୱାଙ୍ଗଚୁକ୍ଙ୍କ ପତ୍ନୀଙ୍କୁ ତୁରନ୍ତ ତାଙ୍କ ସ୍ବାମୀଙ୍କୁ ଅଟକ ରଖିବାର କାରଣ ଦର୍ଶାଇବା ପାଇଁ ଦାବି କରିଥିଲେ। କିନ୍ତୁ ଖଣ୍ଡପୀଠ ଏହି ପର୍ଯ୍ୟାୟରେ କୌଣସି ଆଦେଶ ଦେବାକୁ ବାରଣ କରି କହିଛନ୍ତି ଯେ ଏହା ପ୍ରଥମେ କର୍ତ୍ତୃପକ୍ଷଙ୍କ ଉତ୍ତର ଉପରେ ବିଚାର କରିବ। ସିବଲ କୋର୍ଟଙ୍କୁ କହିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ତ୍ବେ ଆଙ୍ଗମୋଙ୍କୁ ସ୍ବାମୀଙ୍କ ଅଟକ ରଖିବାର କାରଣ ଦିଆଯାଇ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ପରିବାର ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯିବାର କାରଣ ଦିଆଯିବା କଥା। ପତ୍ନୀଙ୍କୁ ମଧ୍ୟ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି ଯେ, ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇଛି ଏବଂ ୱାଙ୍ଗଚୁକଙ୍କ ଅଧିକାରର କୌଣସି ଉଲ୍ଲଂଘନ ହୋଇନାହିଁ। ଖଣ୍ଡପୀଠ ଏହି ପ୍ରସଙ୍ଗରେ କହିଛନ୍ତି ଯେ ଏନ୍ଏସ୍ଏର ଧାରା ୮ କେବଳ ଅଟକ ଥିବା ବ୍ୟକ୍ତିଙ୍କୁ ଆଧାର ଜଣାଇବାକୁ ନିର୍ଦ୍ଦେଶ ଦେଇଛି। ସେମାନେ କହୁଛନ୍ତି ଯେ ଏହା ହୋଇସାରିଛି। ତେଣୁ ବର୍ତ୍ତମାନ ପାଇଁ କୌଣସି ନିର୍ଦ୍ଦେଶନାମା ଜାରି କରିବାକୁ ଖଣ୍ଡପୀଠ ମନା କରିଛନ୍ତି। ଦୀର୍ଘସ୍ଥାୟୀ ଶିକ୍ଷା ଓ ପରିବେଶ କାର୍ଯ୍ୟ ପାଇଁ ଜଣାଶୁଣା ୱାଙ୍ଗଚୁକ୍ଙ୍କୁ ସେପ୍ଟେମ୍ବର ୨୬ରେ ଏନ୍ଏସ୍ଏ ଅଧୀନରେ ଗିରଫ କରାଯାଇଥିଲା। ୱାଙ୍ଗଚୁକ୍ଙ୍କ ଉତ୍ତେଜକ ଭାଷଣରେ ଲେହରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା, ଯେଉଁଥିରେ ଚାରି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ।