ଲେହ: ଲଦାଖ ହିଂସା ମାମଲାରେ ସାମାଜିକ କର୍ମୀ ସୋନମ୍ ଵାଙ୍ଗଚୁକ୍ଙ୍କୁ ଆଜି ପୁଲିସ ଗିରଫ କରିଛି। ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ତାଙ୍କୁ ଅପରାହ୍ଣ ପ୍ରାୟ ୨ଟା୩୦ରେ ଗିରଫ କରି ଏକ ଅଜଣା ସ୍ଥାନରେ ରଖାଯାଇଛି। ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଗିରଫଦାରୀ ହୋଇଥିଲା। ଲଦାଖ ଡିଜିପି ଏସ୍.ଡି. ସିଂହ ଜାମୱାଲଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ୱାଙ୍ଗଚୁକ୍ଙ୍କ ଏନ୍ଜିଓ ‘ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ କଲ୍ଚରାଲ୍ ମୁଭ୍ମେଣ୍ଟ ଅଫ୍ ଲଦାଖ’ (ଏସ୍ଇସିଏମ୍ଓଏଲ୍)ର ଲାଇସେନ୍ସ ବିଦେଶୀ ଅନୁଦାନ ନିୟମ (ଏଫ୍ସିଆର୍ଏ) ଉଲ୍ଲଂଘନ ଅଭିଯୋଗରେ ରଦ୍ଦ କରାଯାଇଥିଲା। ଆଜି ୱାଙ୍ଗଚୁକ୍ଙ୍କ ଗିରଫ ପରେ ସମଗ୍ର ଲଦାଖରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ରଖାଯାଇଛି। ଲେହରେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି।
ଅଜଣା ସ୍ଥାନକୁ ସ୍ଥାନାନ୍ତର
ଇଣ୍ଟରନେଟ୍ ସେବା ବନ୍ଦ
କର୍ଫ୍ୟୁ ବଳବତ୍ତର
ୱାଙ୍ଗଚୁକ୍ଙ୍କ ଗିରଫ ନେଇ ବିଭିନ୍ନ ମହଲ ତୀବ୍ର ପ୍ରତିକ୍ରିୟା ରଖିଥିବା ବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ହିଂସା ଭିଆଇବା ପାଇଁ ଯେଉଁମାନେ ଷଡ୍ଯନ୍ତ୍ର କରିଛନ୍ତି ସେମାନଙ୍କୁ ନିସ୍ତାର ମିଳିବ ନାହିଁ। ଲଦାଖରେ ଦୁଇ ଦଶନ୍ଧିରେ ସବୁଠାରୁ ବଡ଼ ହିଂସାତ୍ମକ ବିକ୍ଷୋଭ ପରେ ହୋଇଥିବା ଏହି ଗିରଫଦାରୀକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଗତ ୨୪ ତାରିଖରେ ଲେହ ଆପେକ୍ସ ବଡି (ଏଲ୍ଏବି)ର ଯୁବ ଶାଖା ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ ହଠାତ୍ ହିଂସାତ୍ମକ ମୋଡ଼ ନେଇଥିଲା। ବିକ୍ଷୋଭକାରୀମାନେ ସୁରକ୍ଷାବାହିନୀ ଉପରେ ଭୀଷଣ ପଥର ମାଡ଼ କରିଥିଲେ, ଯାନବାହନ ଜାଳି ଦେଇଥିଲେ ଏବଂ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇଥିଲେ। ଉପଦ୍ରବକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଟିୟର୍ ଗ୍ୟାସ ପ୍ରୟୋଗ କରିବା ସହ ଗୁଳି ଚଳାଇଥିଲା। ଏଥିରେ ଚାରି ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୩୦ ଜଣ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି।
ସୂଚନାଯୋଗ୍ୟ, ସୋନମ୍ ଵାଙ୍ଗଚୁକ୍ ସେପ୍ଟେମ୍ବର ୧୦ରୁ ଲେହରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଥିଲେ। ସେ ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ଦାବି କରିବା ସହ ଆଦିବାସୀ ଅଧିକାର ଓ ସ୍ୱାୟତ୍ତଶାସନ ଦାବି କରିଥିଲେ। ତେବେ ଆନ୍ଦୋଳନ ଭୟାନକ ହିଂସାର ରୂପ ନେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଵାଙ୍ଗଚୁକ୍ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ସରକାର କହିଛନ୍ତି ଯେ ସେ ‘ଆରବ ବିଦ୍ରୋହ’ ଓ ନେପାଳରେ ‘ଜେନ୍ ଜେଡ୍ ଆନ୍ଦୋଳନ’ ବିଷୟରେ କହି ଜନତାଙ୍କୁ ଉସୁକାଇଥିଲେ ଏବଂ ହିଂସା ପାଇଁ ଯୋଜନାବଦ୍ଧ ଷଡ୍ଯନ୍ତ୍ର କରିଥିଲେ। ଗିରଫ ପୂର୍ବରୁ ଵାଙ୍ଗଚୁକ୍ ସରକାରୀ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ମତେ ବଳି ବୋଦା କରାଯିବାକୁ ଚେଷ୍ଟା କରାଯାଉଛି। ମତେ ଗିରଫ କରାଯିବା ପରେ ମଧ୍ୟ ଲୋକଙ୍କ ଦାବି ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ଏବଂ ଲୋକେ ସେମାନଙ୍କ ଅଧିକାର ନେଇ ସଜାଗ ଅଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନବାଦୀ) ୱାଙ୍ଗଚୁକ୍ଙ୍କ ଗିରଫକୁ ‘ମୋଦୀ ସରକାରଙ୍କ ଦମନକାରୀ ନୀତି’ବୋଲି କହି ନିନ୍ଦା କରିଛି। ଅନ୍ୟପକ୍ଷରେ କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର୍ କହିଛନ୍ତି, ଏହା ସରକାରଙ୍କ ଭୁଲ୍ ପଦକ୍ଷେପ। ସୂଚନାଯୋଗ୍ୟ, ଅକ୍ଟୋବର ୬ରେ କେନ୍ଦ୍ର ସରକାର ଓ ଲଦାଖ ନେତାଙ୍କ ମଧ୍ୟରେ ଆଲୋଚନା ନିର୍ଦ୍ଧାରିତ ହୋଇଛି। କିନ୍ତୁ ଵାଙ୍ଗଚୁକ୍ଙ୍କ ସମର୍ଥକମାନେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଥିବାରୁ ସ୍ଥିତି ଜଟିଳ ହେଉଛି।