ଇନ୍ଦୋର: ସୋନମ୍ ରଘୁବଂଶୀ ଶେଷଥର ପାଇଁ ମେଘାଳୟର ସବୁଜିମାମୟ ପର୍ବତରେ ଏକ ଜଳପ୍ରପାତର ଝଲକ ପାଇବା ପାଇଁ ଏକ ତୀଖ ଶିଖରକୁ ଯାତ୍ରା କରୁଥିବା ବେଳେ ଶାଶୂଙ୍କ ସହ କଥା ହୋଇଥିଲା। ଯେତେବେଳେ ତାଙ୍କ ଶାଶୂ ଏତେ ତୀଖ ପାହାଡ଼ରେ ଚଢ଼ିବା କ’ଣ ଦରକାର ଥିଲା ବୋଲି କହିଲେ, ସେତେବେଳେ ସେ ଯୁକ୍ତି ବାଢ଼ିଥିଲେ ଯେ ପାହାଡ଼ଟି ଅତ୍ୟନ୍ତ ମନୋରମ। ଆମେ ଜଳପ୍ରପାତ ଦେଖିବାକୁ ଯାଉଛୁ। ତେବେ ମୁଁ ମନା କରୁଥିଲି କିନ୍ତୁ ସେ ମାନିଲେ ନାହିଁ। ଶାଶୂଙ୍କ ସହ ଏହି କଥାବାର୍ତ୍ତାରୁ ପୁଲିସ କିଛିଟା ସୁରାକ ପାଇଥିଲା।
ମେ ୨୩ରେ ଏହି ଦମ୍ପତି ନିଖୋଜ ହେବା ପୂର୍ବରୁ ରାଜାଙ୍କ ମା’ ଉମା ରଘୁବଂଶୀ ଏହି ଫୋନ୍ କଲ୍ କରିଥିଲେ। ଫୋନ୍ କଲ୍ର ଏକ ଅଡିଓ କ୍ଲିପ୍ରେ ସେ ପ୍ରଥମେ ତାଙ୍କ ପୁଅର ଫୋନ୍ କାମ କରିବା ଆରମ୍ଭ କଲାଣି କି ବୋଲି ପଚାରିଥିବା ଶୁଣିବାକୁ ମିଳିଥିଲା। ସୋନମ୍ ନକାରାତ୍ମକ ଉତ୍ତର ଦେଇଥିଲେ। ଆମେ ଚଢ଼ୁଛୁ। ଆମେ ପହଞ୍ଚିବା ପରେ ଫୋନ୍ କରିବୁ ବୋଲି ସେ ଉତ୍ତର ଦେଇଥିଲେ। ବୋହୂଙ୍କ ସହ କଥା ହୋଇ ମା’ ଆଶ୍ୱସ୍ତି ଅନୁଭବ କରିଥିଲେ। ତେବେ କଲ୍ ସମୟରେ ରାଜା ତାଙ୍କ ମା’ଙ୍କ ସହ କଥା ହୋଇ ନ ଥିବାରୁ ସେତେବେଳକୁ ତାଙ୍କୁ ହତ୍ୟା କରାଯାଇଥିଲା କି ନାହିଁ ତାହା ଜଣାପଡ଼ିନାହିଁ। ରାଜାଙ୍କ ମା’ ପୁଅ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯୋଗାଯୋଗ ହୋଇପାରୁ ନ ଥିବାରୁ ଏହା ସମ୍ଭବତଃ ସୋନମ୍ଙ୍କ ବିରୋଧରେ ପ୍ରଥମ ସୁରାକ। ଦ୍ବିତୀୟଟି ହେଉଛି, କଲ୍ ସମୟରେ ରାଜା କାହିଁକି ତାଙ୍କ ମା’ଙ୍କ ସହ କଥା ହୋଇ ନ ଥିଲେ, ଯଦିଓ ଦମ୍ପତି ଏକାଠି ଥିବା ବିଶ୍ୱାସ କରାଯାଉଥିଲା ଏବଂ ତାଙ୍କ ମା’ ତାଙ୍କ ସହ କଥା ହେବାକୁ ଚାହୁଥିଲେ।