ନୂଆଦିଲ୍ଲୀ :  ସା‌ମାଜିକ କର୍ମୀ ସୋନମ୍‌ ୱାଙ୍ଗ୍‌ଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ଏନ୍‌ଏସଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ ସୋନମ୍‌ଙ୍କ ଗିରଫଦାରୀକୁ ବିରୋଧ କରି ସୁପ୍ରିମ୍‌କୋର୍ଟ ଯାଇଛନ୍ତି ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ଆବେଦନ କରିଛନ୍ତି।  ଲଦାଖ ପାଇଁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁଚ୍ଛେଦରେ ସାମିଲ କରାଯିବାକୁ ଦାବି କରି ହୋଇଥିବା ହିଂସାତ୍ମକ ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହେବା ଏବଂ ୯୦ ଜଣ ଆହତ ହେବାପରେ ସେପ୍ଟେମ୍ବର ୨୬ ତାରିଖରେ ୱାଙ୍ଗ୍‌ଚୁକଙ୍କୁ ଏନ୍‌ଏସ୍‌ଏ ଅଧୀନରେ ଗିରଫ କରାଯାଇଥିଲା।  ତାଙ୍କୁ ‌ରାଜସ୍ଥାନର ଯୋଧପୁର ଜେଲ୍‌ରେ ରଖାଯାଇଛି।  

Advertisment

ଅଙ୍ଗମୋ ମଧ୍ୟ ସୋନମ୍‌ ୱାଙ୍ଗଚୁକ୍‌ଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାମଲାର ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ସେ  ଅନୁରୋଧ କରିଛନ୍ତି।  ଆବେଦନରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ, ଲେହ ଡେପୁଟି କମିସନର ଏବଂ ଯୋଧପୁର ଜେଲ୍‌ ସୁପରିନଟେଣ୍ଡେଣ୍ଟ୍‌ଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଆବେଦନକାରୀ ନିଜ ସ୍ବାମୀଙ୍କୁ ଦେଖା କରିବାପାଇଁ ଏବଂ  ତାଙ୍କ ସହ ଟେଲିଫୋନ୍‌ରେ କଥା ହେବାପାଇଁ ଅନୁମତି ଦେବାପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ୱାଙ୍ଗଚୁକ୍‌ଙ୍କ ଗିରଫ ବେଆଇନ ଏବଂ ଅସାମ୍ବିଧାନିକ।  ଧାରା ୧୪, ୧୯, ୨୧ ଏବଂ ୨୨ ଅଧୀନରେ ଦିଆଯାଇଥିବା ମୌଳିକ ଅଧିକାରର ଏହା ଉଲ୍ଲଂଘନ କରୁଛି।