ୟୁରୋପୀୟ ଦେଶରେ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ କଲେ ସୋନିଆ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେବା ପରେ ଗତ ପ୍ରାୟ ଦୁଇ ବର୍ଷ ହେଲା କଂଗ୍ରେସ ଦଳ ଏକ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିପାରି ନାହିଁ। କିନ୍ତୁ ୟୁରୋପର ବିଭିନ୍ନ ଦେଶରେ ଦଳର ‘ଦେଶ-ଅଧ୍ୟକ୍ଷ’ଙ୍କ ନିଯୁକ୍ତି ସମାପ୍ତ କରିଛି। ଏହି ସପ୍ତାହ ପ୍ରାରମ୍ଭରେ ଟେକ୍ନୋକ୍ରାଟ୍‌ରୁ ରାଜନେତା ବନିଥିବା ସାମ୍‌ ପିଟ୍ରୋଡାଙ୍କ ଅଧ୍ୟକ୍ଷତାରେ ଓଭରସିଜ୍ କଂଗ୍ରେସ ବିଭାଗ ନବନିଯୁକ୍ତ ଭାରତୀୟ-ମୂଳ ବ୍ୟକ୍ତିମାନଙ୍କ ନାମ ଘୋଷଣା କରିଥିଲା।

ଚକ୍ର ବିୟର ବ୍ରାଣ୍ଡ୍‌ର ମାଲିକ ଗାରିସୋବର ସିଂ ଗିଲ୍‌ ନରୱେରେ ଥିବା ଇଣ୍ଡିଆନ ଓଭରସିଜ୍ କଂଗ୍ରେସ (ଆଇଓସି)ର ନୂତନ ‘ଦେଶ ଅଧ୍ୟକ୍ଷ’ ଭାବେ ନିଯୁକ୍ତି ପାଇଛନ୍ତି। ଚକ୍ର ବିୟର ୱେବ୍‌ସାଇଟ୍ ଅନୁଯାୟୀ, ୨୦୦୬ରେ ଗିଲ୍‌ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ରାଣ୍ଡ୍‌ ଅନ୍ତର୍ଜାତୀୟ ବଜାରରେ ପ୍ରଥମ ପଞ୍ଜାବୀ ବ୍ରୁଏରି ବ୍ରାଣ୍ଡ୍‌ ଥିଲା। ଗିଲ୍‌ କହିଛନ୍ତି ଯେ ତାଙ୍କ ପିତା ଗୁରୁମେଲ ଗିଲ୍‌, ଯେ କି ଜଣେ ପୂର୍ବତନ ଭାରତର ଜାତୀୟ ସ୍ତରର ଫୁଟବଲର୍, ସେ ୟୁରୋପରେ ଆଇଓସିର ପ୍ରତିଷ୍ଠାତା ଥିଲେ ଏବଂ ନରୱେରେ ଦଳର ଭଲ ଉପସ୍ଥିତି ରହିଛି। ‘ମୋ ବାପା ସାରା ଜୀବନ କଂଗ୍ରେସରେ ରହିଆସିଛନ୍ତି। ବର୍ତ୍ତମାନ ମୁଁ ଦାୟିତ୍ବ ନେଉଛି … ଭାରତକୁ ପୁଞ୍ଜି ବିନିଯୋଗ, ଶିଳ୍ପ ଆଣିବା ମୋର ଲକ୍ଷ୍ୟ’ ବୋଲି ସେ କହିଛନ୍ତି। ରାଜନୀତିରେ କାହିଁକି ପଶିଲେ ବୋଲି ପଚରାଯିବାରୁ ସେ କହିଲେ, ‘ମୋ ଦେଶରେ କ’ଣ ଘଟୁଛି ଜାଣିବା ଭଲ’। ଫିନ୍‌ଲ୍ୟାଣ୍ଡ ପାଇଁ କଂଗ୍ରେସର ନବନିଯୁକ୍ତ ଦେଶ-ଅଧ୍ୟକ୍ଷ ହେଉଛନ୍ତି ୩୫ ବର୍ଷୀୟ ବୈଜ୍ଞାନିକ କୋମଲ କୁମାର ଜାଭାରପ୍ପା, ଯେ କି ରକ୍ତ କର୍କଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ଆଣବିକ ଜୈବବିଜ୍ଞାନୀ। ମହୀଶୂରରୁ ଆସିଥିବା ଜାଭାରାପ୍ପା କହିଛନ୍ତି ଯେ, ଆଇଓସି ଫିନ୍‌ଲ୍ୟାଣ୍ଡରେ ଅଳ୍ପଦିନ ହେଲା ପ୍ରତିଷ୍ଠିତ ହୋଇଛି ଏବଂ ସେ ଏହାର କାର୍ଯ୍ୟକଳାପକୁ ସଂଯୋଜନା କରୁଛନ୍ତି। ଅନ୍ୟ ନିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଦିଲବାଗ ଚାନ୍ନା (ଇଟାଲି), ଜୟ କୋଚଟ୍ଟୁ (ସ୍ୱିଜରଲ୍ୟାଣ୍ଡ), ସୋନିଆ ହେଲ୍‌ଡଷ୍ଟେଡ (ସ୍ୱିଡେନ), ସୁନୀଲ କୋରାହ (ଅଷ୍ଟ୍ରିଆ), ସୁଖୀବନ ପ୍ରୀତ ସିଂ (ବେଲଜିୟମ୍‌), ହରପିନ୍ଦର ସିଂ ଘାଗ (ହଲାଣ୍ଡ) ଏବଂ ଅମରଜିତ୍‌ ସିଂ (ପୋଲାଣ୍ଡ)।

ୟୁରୋପ ପାଇଁ ଆଇଓସି ଆବାହକ ରାଜବିନ୍ଦର ସିଂ କହିଛନ୍ତି ଯେ, ୨୩ଟି ୟୁରୋପୀୟ ଦେଶରେ ଏହାର ଉପସ୍ଥିତି ରହିଛି, ବ୍ରିଟେନରେ ସବୁଠାରୁ ଶକ୍ତିଶାଳୀ। ସେ କହିଛନ୍ତି ଯେ ଦେଶ-ଅଧ୍ୟକ୍ଷ ଭାବରେ ନିଯୁକ୍ତ ଅଧିକାଂଶ ଲୋକ ବ୍ୟବସାୟୀ, ବୃତ୍ତିଗତ ତଥା ଏକାଡେମୀ କ୍ଷେତ୍ରରୁ ଆସିଛନ୍ତି। ସିଂ ନିଜେ ହୋଟେଲ ଏବଂ ରିୟଲ୍ ଇଷ୍ଟେଟ୍ ବ୍ୟବସାୟରେ ଅଛନ୍ତି। ଅନ୍ୟ ନିଯୁକ୍ତ ବ୍ୟକ୍ତିଙ୍କ ଉପରେ ସିଂ କହିଛନ୍ତି ଯେ, ଚାନ୍ନା ଜଣେ ଇମିଗ୍ରେସନ୍ ପରାମର୍ଶଦାତା, ହେଲ୍‌ଡଷ୍ଟେଡ୍ ଷ୍ଟକ୍‌ହୋମର ଏକ ହସ୍ପିଟାଲରେ ଏଚ୍‌ଆର୍‌ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି, ସୁଖୀବନ ଜଣେ ଭାରତୀୟ ଖାଦ୍ୟ ବ୍ୟବସାୟୀ ଏବଂ ବିତରକ, ଘାଗ ପରିବହନରେ ଅଛନ୍ତି, କୋଚଟ୍ଟୁ ଜଣେ ବ୍ୟବସାୟୀ ଯିଏ ମଧ୍ୟ ବିଶ୍ୱ ମାଲାୟାଲୀ ପରିଷଦ ସହିତ ଜଡିତ, ଅମରଜିତ୍‌ ଅର୍ଥ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ କୋରାହ ଜଣେ ଆଇଟି ବିଶେଷଜ୍ଞ।

ସମ୍ବନ୍ଧିତ ଖବର