ପରାଜୟ ପରେ କଂଗ୍ରେସରେ ବ୍ୟାପକ ଅଦଳବଦଳ ସଂକେତ, ସିଦ୍ଧୁଙ୍କ ସମେତ ୫ ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ  

ନୂଆଦିଲ୍ଲୀ : ନିକଟରେ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ବ୍ୟାପକ ପରିବର୍ତ୍ତନର ସମ୍ଭାବନା ରହିଛି । ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଟୁଇଟ୍ କରି ସୂଚନା ଦେଇଛନ୍ତି ।  ଏସବୁ ସଭାପତିଙ୍କ ମଧ୍ୟରେ ପଂଜାବ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ବି ଅଛନ୍ତି । ଏସବୁ ରାଜ୍ୟର କଂଗ୍ରେସ କମିଟିଗୁଡ଼ିକରେ ସାଂଗଠନିକ ପରିବର୍ତ୍ତନ ପୂର୍ବରୁ ଏସବୁ ସଭାପତିମାନଙ୍କ ଇସ୍ତଫା ମଗାଯାଇଛି ବୋଲି ସେ ସଂକେତ ଦେଇଛନ୍ତି ।

ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବାବେଳେ ପଞ୍ଜାବରେ ୧୮ଟି ଆସନ ପାଇଥିଲା । ସେହିପରି ଉତ୍ତରାଖଣ୍ଡରେ ଦଳ ୧୯ଟି, ଗୋଆରେ ୧୨ଟି ଓ ମଣିପୁରରେ ୫ଟି ଆସନ ପାଇଥିଲା ।

ଏହି ପରାଜୟ ପରେ ଦଳରେ ମଧ୍ୟ ଗାନ୍ଧି ପରିବାରର ନେତୃତ୍ବ ପ୍ରତି ଅଙ୍ଗୁଳି ଉଠିବା ଆରମ୍ଭ କରିଛି । ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ବଲ ଗାନ୍ଧିପରିବାର କଂଗ୍ରେସରୁ ଓହରି ଯାଉ ବୋଲି କହିଛନ୍ତି । କିନ୍ତୁ ଏହାକୁ ନେଇ ତାଙ୍କୁ କିଛି ଦଳୀୟ ନେତା ଟାର୍ଗେଟ କରୁଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋଗ ଗେହଲୋଟ କପିଲଙ୍କୁ କଂଗ୍ରେସ ବାହାରୁ ଆମଦାନୀ ହୋଇଥିବା ନେତା ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର