ଉଦୟପୁର : ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସର ଚିନ୍ତନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସେ କହିଛନ୍ତି ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବାବେଳେ ଆମର ବାକପଟୁ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି ।
ଏହି ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ନୀତିର ଉଦ୍ଦେଶ୍ୟ ହେଉଛି ଦେଶରେ ସାଂପ୍ରଦାୟିକ ଧ୍ରୁବୀକରଣ କରିବା, ସଂଖ୍ୟାଲଘୁ ଓ ରାଜନୈତିକ ବିରୋଧୀମାନଙ୍କୁ ଟାର୍ଗେଟ୍ କରିବା । କିନ୍ତୁ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପର ସର୍ବାଧିକ ଆବଶ୍ୟକତା ଥିବାବେଳେ,ଆମ ବାକପଟୁ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି ।
ମୋଦୀ ସରକାର ନିୟମିତ ଭାବେ ‘ସର୍ବନିମ୍ନ ସରକାର-ସର୍ବାଧିକ ସୁଶାସନ’ କଥା କହୁଛନ୍ତି.. କିନ୍ତୁ ଏହାର ପ୍ରକୃତ କାମ ହେଉଛି ସାଂପ୍ରଦାୟିକ ଧ୍ରୁବୀକରଣ ଓ ଲୋକମାନଙ୍କ ନିୟମିତ ଭାବେ ଭୟ ଓ ଅସୁରକ୍ଷାର ବାତାବରଣ ମଧ୍ୟରେ ରଖିବା । ସଂଖ୍ୟାଲଘୁ, ଯେଉଁମାନେ ଆମ ସମାଜର ଏକ ଅଭିନ୍ନ ଅଂଗ, ସେମାନଙ୍କୁ ଆତଙ୍କିତ କରିବା ଓ ଆକ୍ରମଣ କରିବା ଶାସକ ଦଳର ଉଦ୍ଦେଶ୍ୟ ।
ପୁଣି ସରକାରଙ୍କ ଉଦ୍ଦେଶ୍ୟ ହେଉଛି ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀମାନଙ୍କୁ ଗୌରବାନ୍ବିତ କରିବା ଓ ଜବାହରଲାଲ ନେହେରୁଙ୍କ ଦ୍ବାରା କରାଯାଇଥିବା ଭଲ କାମକୁ ଇତିହାସରୁ ଲିଭେଇ ଦେବା । ସୋନିଆ କହିଛନ୍ତି ଯେ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି । ଏହି ଚିନ୍ତନ ବୈଠକରେ ଜାତୀୟ ପ୍ରସଙ୍ଗ ଛଡ଼ା କଂଗ୍ରେସର ସାଂଗଠନିକ ସମସ୍ୟା ବାବଦରେ ଆତ୍ମମନ୍ଥନ ହେବ ।