ସୋନିଆଙ୍କ ‘ଡିନର୍‌’ ରାଜନୀତି:oସାମିଲ ହେଲେ ୧୮ ବିରୋଧୀ ଦଳ

oଦୂରେଇ ରହିଲେ ବିଜେଡି, ଟିଆର୍‌ଏସ୍‌, ଟିଡିପି
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ପତିଆରାକୁ ପ୍ରତିହତ କରିବା ଲାଗି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକତ୍ରିତ କରିବା ପ୍ରୟାସ କରିଛନ୍ତି। ସୋନିଆଙ୍କ ବାସଭବନରେ ମଙ୍ଗଳବାର ଆୟୋଜିତ ରାତ୍ରିଭୋଜନରେ ଏଥିପାଇଁ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳର ପ୍ରତିନିଧି ଯୋଗଦେଇଥିଲେ। ତେବେ ଓଡ଼ିଶାର ବିଜୁ ଜନତା ଦଳ, ତେଲେଙ୍ଗାନାର ଟିଆର୍‌ଏସ୍‌ ଓ ସଦ୍ୟ ଏନ୍‌ଡିଏ ସହ ସମ୍ପର୍କ ତିକ୍ତ ହୋଇଥିବା ଟିଡିପିକୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରାଯାଇନାହିଁ। ଦେଶର ରାଜନୀତିରେ ୟୁପିଏ, ଏନ୍‌ଡିଏ ବ୍ୟତୀତ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୋନିଆଙ୍କ ଏହି ରଣନୀତି ଅତ୍ୟନ୍ତ ଗୁରୁତ୍ୱ ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ରାଜନୀତିରେ ହେଉଥିବା ମତଭେଦକୁ ଭୁଲି ଜାତୀୟ ସ୍ତରରେ ଏକତ୍ରିତ ହୋଇ ଲଢ଼ିିବାକୁ ହେବ ବୋଲି ସୋନିଆ ଗତ ୯ ତାରିଖ ଦିଲ୍ଲୀରେ ଆୟୋଜିତ ଏକ ସଭାରେ ସମସ୍ତ ବିରୋଧୀ ଦଳଙ୍କୁ ଆହ୍ଵାନ କରିଥିଲେ। ଏପରିକି ୨୦୧୯ ନିର୍ବାଚନରେ ୟୁପିଏ ପୁଣି ଥରେ ସରକାର ଗଢ଼ିବ ବୋଲି ସେ ଆଶା ପ୍ରକଟ କରିଥିଲେ। ତେଣୁ ବିଜେପିକୁ ଦେଶରୁ ମୂଳପୋଛ କରିବା ଲକ୍ଷ୍ୟରେ ସୋନିଆ ବିରୋଧୀଙ୍କୁ ଧରି ଏପରି ରାତ୍ରିଭୋଜନ କୂଟନୀତି ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଏଆଇୟୁଡିଏଫ୍‌ର ବଦରୁଦ୍ଦିନ୍‌ ଆଜମଲ, ଏନ୍‌ସିପିର ଶରଦ ପଓ୍ଵାର ଓ ପ୍ରଫୁଲ୍ଲ ପଟେଲ, ବିଏସ୍‌ପି ନେତା ସତୀଶ ମିଶ୍ର, ଆର୍‌ଏଲ୍‌ଡି ନେତା ଅଜିତ ସିଂ, ଟିଏମ୍‌ସିର ସୁଦୀପ ବନ୍ଦୋପାଧ୍ୟାୟ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆର୍‌ଏସ୍‌ପି ନେତା ଏନ୍‌ କେ ପ୍ରେମଚନ୍ଦ୍ରନ, ଜେଡିଏସ୍‌ର ଉପେନ୍ଦ୍ର ରେଡ୍ଡି, ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚାର ଜିତନ ରାମ ମାଞ୍ଝି, ଡିଏମ୍‌କେ ପକ୍ଷରୁ କାନ୍ନିମୋଝି, ବାମଦଳ ପକ୍ଷରୁ ସୀତାରାମ ୟେଚୁରି, ମହମ୍ମଦ ସଲିମ୍‌, ଡି ରାଜା, ଜେବିଏମ୍‌ ନେତା ବାବୁଲାଲ ମାରାଣ୍ଡି, ଆର୍‌ଜେଡିର ତେଜସ୍ୱୀ ଯାଦବ ଓ ମିସା ଭାରତୀ, ଭାରତୀୟ ଟ୍ରାଇବାଲ ପାର୍ଟିର ଶରଦ ଯାଦବ ଆଦି ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ, ଗୁଲାମ ନବୀ ଆଜାଦ୍‌ ଏବଂ ମଲ୍ଲିକାର୍ଜୁନ ଖାଡ୍‌ଗେ ପ୍ରମୁଖ ଏହି ରାତ୍ରିଭୋଜନରେ ଉପସ୍ଥିତ ଥିଲେ। ରାତ୍ରିଭୋଜନ ପୂର୍ବରୁ ସୋନିଆଙ୍କ ନେତୃତ୍ୱରେ ସମସ୍ତ ନେତା ପରସ୍ପର ସହ ଭାବ ଆଦାନ ପ୍ରଦାନ କରିବା ସାଙ୍ଗକୁ ରାଜନୀତି ବିଷୟରେ ଚର୍ଚ୍ଚା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର