ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଜୁନ୍ ୧୨, ୨୦୨୨ରେ କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଜୁନ୍ ୧୮ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏବେ ପୁଣି ଥରେ ତାଙ୍କୁ ସେହି ଡାକ୍ତରଖାନାରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ସୋମବାର ଦିନ ଦିଲ୍ଲୀର କଶ୍ମୀରୀ ଫାଟକରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଗାଜିଆବାଦ ସୀମାରେ ଲୋନି ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ଏଥିପାଇଁ ଗାଜିଆବାଦ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଥିଲା ବୋଲି ସୂଚନା ମିଳିଛି। କଂଗ୍ରେସ ଦଳର ଯାତ୍ରା ପାଇଁ ସ୍ଥିର ହୋଇଥିବା ମାର୍ଗରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଗାଡ଼ି ଛଡ଼ାଯାଉଥିବା ଅନ୍ୟ ମାର୍ଗରେ ଭାରି ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା।

ଗତ ୧୦୮ଦିନ ମଧ୍ୟରେ ଏହି ଯାତ୍ରା ୪୯ଟି ଜିଲ୍ଲା, ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅତିକ୍ରମ କରିଛି। ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ଦେଇ ଏବେ ଉତ୍ତରପ୍ରଦେଶରେ ପ୍ରବେଶ କରିଛି।