ଶାହଙ୍କ ଇସ୍ତଫା ଦାବି କଲେ ସୋନିଆ

ସୋ‌ନିଆ ହିଂସାର ରାଜନୀତିକରଣ କରୁଛନ୍ତି: ବିଜେପି, ଶାହଙ୍କ ଇସ୍ତଫା ଦାବି ହାସ୍ୟାସ୍ପଦ

ନୂଆଦିଲ୍ଲୀ : ଦିଲ୍ଲୀରେ ଜାରି ରହିଥିବା ହିଂସା ସ୍ଥିତି ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କେନ୍ଦ୍ର ଗୃହ ମନ୍ତ୍ରୀ ଦିଲ୍ଲୀ ହିଂସା ପାଇଁ ଦାୟୀ ରହିବା ସହ ନିଜ ପଦରୁ ଇସ୍ତଫା ଦେବା ଉଚିତ୍‌ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏବେ ଭୟ ଏବଂ ଘୃଣା ଚରମ ସୀମାରେ ପହଞ୍ଚିଛି ବୋଲି ସୋନିଆ କହିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ସୋନିଆ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ହିଂସା ପଛ‌ରେ ବଡ଼ ଷଡ଼ଯନ୍ତ୍ର ରହିଛି। ଦିଲ୍ଲୀ ନିର୍ବାଚନ ସମୟରେ ମଧ୍ୟ ଦେଶ ଏହା ଦେଖିଥିଲା। ଅନେକ ବିଜେପି ନେତା ଦେଇଥିବା ଘୃଣା ସୃଷ୍ଟିକାରୀ ବୟାନ ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ଦିଲ୍ଲୀ ପୁଲିସ ସମ୍ପୂର୍ଣ୍ଣ ପଙ୍ଗୁ ହୋଇଯାଇଛି ବୋଲି ସୋନିଆ କହିଛନ୍ତି। ଆଜି ସିଡବ୍ଳ୍ୟୁସି ବୈଠକରେ ଦିଲ୍ଲୀ ହିଂସା ନେଇ କିଛି ପ୍ରଶ୍ନର ଉତ୍ତର ଦାବି କରି ଏକ ସଂକଳ୍ପପତ୍ର ମଧ୍ୟଗୃହୀତ ହୋଇଥିଲା।

ସୋ‌ନିଆ ହିଂସାର ରାଜନୀତିକରଣ କରୁଛନ୍ତି: ବିଜେପି, ଶାହଙ୍କ ଇସ୍ତଫା ଦାବି ହାସ୍ୟାସ୍ପଦ
ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରକୁ ଦାୟୀ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିବାରୁ ବିଜେପି ଏହାର କଡ଼ା ଜବାବ ଦେଇଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷା ହିଂସାର ରାଜନୀତିକରଣ କରୁଛନ୍ତି ଏବଂ ଶାହଙ୍କ ଇସ୍ତଫା ଦାବି କରାଯିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ଜାଭଡ଼େକର କହିଛନ୍ତି, ଶାହ ଜାତୀୟ ରାଜଧାନୀରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ସହ ଲଗାତାର କାମ କରୁଛନ୍ତି। ହିଂସା ଶେଷ ହୋଇଛି ଏବଂ ଦୋଷୀଙ୍କୁ ଚିହ୍ନଟ କରିବା ଏବଂ ସତ୍ୟ ସାମ୍ନାକୁ ଆଣିବା ପାଇଁ ଏବେ ତଦନ୍ତ ଜାରି ରହିଛି। କୌଣସି ଅଭିଯୁକ୍ତ ବି ଛାଡ଼ ପାଇବେ ନାହିଁ ବୋଲି ସେ କହିଛନ୍ତି। ତେବେ ଏଭଳି ସ୍ଥିତିରେ ସରକାରଙ୍କୁ ଆକ୍ରମଣ କରିବା ଏବଂ ହିଂସାକୁ ନେଇ ରାଜନୀତି କରିବା କଂଗ୍ରେସର ଘୃଣିତ କାର୍ଯ୍ୟ ବୋଲି ଜାଭଡ଼େକର କହିଛନ୍ତି।

ସମ୍ବନ୍ଧିତ ଖବର