ଦିଲ୍ଲୀ-ମହାରାଷ୍ଟ୍ରରେ ସିଏଏ ବିରୋଧୀ ଆନ୍ଦୋଳନ: ଆଜି ସାମିଲ ହେବେ ସୋନିଆ, ରାହୁଲ

ନୂଆଦିଲ୍ଲୀ : ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ଓ ହିଂଜା ଜାରି ରହିଛି। ପୁରୁଣା ଦିଲ୍ଲୀର ଦରିୟାଗଂଜ ଅଞ୍ଚଳରେ ସିଏଏକୁ ବିରୋଧ ‌କରି ହୋଇଥିବା ଆାନ୍ଦୋଳନ ଓ ହିଂସା ପାଇଁ ଆଜି ୧୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ଦଙ୍ଗା ମାମଲା ରୁଜୁ ‌ହୋଇଛି। ଏହି ୧୫ ଜଣଙ୍କୁ ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ୨ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଉକ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ସୋମବାର ଅଛି। ସୀମାପୁରୀ ହିଂସା ଘଟଣାରେ ମଧ୍ୟ କକରଡୁମା କୋର୍ଟ ୧୧ ଜଣଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ଉକ୍ତ ମାମଲାରେ କୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଆଇପିସିର ଧାରା ୩୦୭ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଗତକାଲି ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ ପାଇଁ ୪୦ ଜଣ ଗିରଫ ହୋଇଥିଲେ। କିନ୍ତୁ ସେମାନଙ୍କୁ ତୁରନ୍ତ ଛାଡ଼ିବା ଦାବିରେ ବିଭିନ୍ନ ଥାନା ବାହାରେ ବ୍ୟାପକ ଆନ୍ଦୋଳନ ହୋଇଥିଲା। ଅନ୍ୟପକ୍ଷେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ସିଏଏ ବିରୋଧୀ ଆନ୍ଦୋଳନ ଓ ହିଂସା ପାଇଁ ପୁଲିସ ୨୦ ଜଣଙ୍କୁ ଅଟକ ରଖିଛି ଏବଂ ୧୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। କଲମନୁରୀ ଏବଂ ହିଙ୍ଗୋଲି ସହରରେ ଗତକାଲି ସିଏଏକୁ ବିରୋଧ କରି ବ୍ୟାପକ ହିଂସା ଉପୁଜିଥିଲା। ପୋଡ଼ାଜଳା, ହତ୍ୟା ଉଦ୍ୟମ, ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାରୁ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ମଧ୍ୟ କଂଗ୍ରେସ ପକ୍ଷରୁ ଏକ ବଡ଼ ଧାରଣା କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଯୋଗଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର