ଅବସର ନେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ନବ ନିର୍ବାଚିତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ବେଳେ  ଏହି ପଦରେ ପ୍ରାୟ ୨୦ ବର୍ଷ ଧରି ରହିଥିବା ସୋନିଆ ଗାନ୍ଧୀ ଅବସର ନେଉଥିବା ଗଣମାଧ୍ୟମକୁ କହିଛନ୍ତି।  ଆଜି ସଂସଦର ଶୀତକାଳୀନ ଅଧିବେଶରେ ଯୋଗଦେବା ପୂର୍ବରୁ ସୋନିଆ  ଗଣମାଧ୍ୟମର ପ୍ରଶ୍ନର ଜବାବ ଦେଇ କହିଥିଲେ ‘ମୁଁ ଏବେ ଅବସର ନେବାକୁ ଯାଉଛି।’ ରାହୁଲ ଶନିବାର କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ  ଭୂମିକା କ’ଣ ହେବ ବୋଲି ପ୍ରଶ୍ନ କରାଯିବାରୁ ସୋନିଆ  କହିଥିଲେ   ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ଏବେ ରାହୁଲ ହିଁ ନେଉଛନ୍ତି ଏବଂ ତାଙ୍କର ଅବସର ସମୟ ଆସିଯାଇଛି।  ଗଣମାଧ୍ୟମକୁ ସୋନିଆଙ୍କ ଏହି ବୟାନ ପରେ ରାଜନୈତିକ ଉଷ୍ଣତା ବଢ଼ିଯାଇଛି ।

ସୋନିଆ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁର ୭ ବର୍ଷ ପରେ ୧୯୯୮ରେ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।   ତାଙ୍କର ୨୦ ବର୍ଷର ନେତୃତ୍ୱରେ କଂଗ୍ରେସକୁ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଶୃଙ୍ଖଳିତ ରଖିବା ପାଇଁ ସେ ସମସ୍ତ ପ୍ରୟାସ କରିଆସିଛନ୍ତି।  ଇଟାଲିର ଭିସେଂଜା ସହର ନିକଟବର୍ତ୍ତୀ ଏକ କ୍ଷୁଦ୍ର ଗ୍ରାମରେ ଡିସେମ୍ବର ୯, ୧୯୪୬ରେ ଜନ୍ମ ଗ୍ରହଣ କରିଥିଲେ।। ହାଇସ୍କୁଲ ଶିକ୍ଷା ପରେ ସୋନିଆ କ୍ୟାଂବ୍ରିଜ୍‌ରେ ଅଧ୍ୟୟନ କରିଥିଲେ ଏବଂ ରାଜୀବ ଗାନ୍ଧୀଙ୍କୁ ୧୯୬୮ ମସିହାରେ ବିବାହ କରିଥିଲେ। ରାଜୀବ-ସୋନିଆଙ୍କ ପୁତ୍ର ରାହୁଲ  ଏବେ ନେହରୁ-ଗାନ୍ଧୀ ପରିବାରର ଷଷ୍ଠ ସଦସ୍ୟ ଭାବେ କଂଗ୍ରେସର ନେତୃତ୍ୱ ନେବେ।

ଆଜି ସୋନିଆଙ୍କ ଅବସର ବୟାନ ବାବଦରେ ସ୍ପଷ୍ଟୀକରଣ ଦେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେବାଲା କହିଛନ୍ତି ସୋନିଆ  କେବଳ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅବସର ନେଇଛନ୍ତି କିନ୍ତୁ ସେ ରାଜନୀତିରେ ସକ୍ରିୟ ରହିବେ।  ତାଙ୍କର ଆଶୀର୍ବାଦ ଓ ମାର୍ଗଦର୍ଶନରେ କଂଗ୍ରେସ ସର୍ବଦା ପରିଚାଳିତ ହେବ ବୋଲି ସୁର୍ଯେବାଲା କହିଛନ୍ତି।

ସମ୍ବନ୍ଧିତ ଖବର