ସରକାରଙ୍କୁ ସୋନିଆଙ୍କ ସମାଲୋଚନା : ଲକ୍‌ଡାଉନ୍‌ ପଦକ୍ଷେପ ତରବରିଆ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାର ତରବରିଆ ଭାବେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ନିଷ୍ପତ୍ତି ନେଇଛନ୍ତି ଏବଂ ଏହାଦ୍ବାରା ପ୍ରବାସୀ ଶ୍ରମିକମାନେ କଷ୍ଟ ଓ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ସେ କହିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ସିଡବ୍ଲ୍ୟୁସିର ଏକ ବୈଠକରେ ଉଦ୍‌ ବୋଧନ ଦେଇ ସୋର୍ନିଆ କହିଛନ୍ତି, ଦେଶ ଏବେ ଏକ ଅଭୂତପୂର୍ବ ସ୍ବାସ୍ଥ୍ୟ ଏବଂ ମାନବୀୟ ସଙ୍କଟ ଦେଇ ଗତି କରୁଛି। ଯଦି ପ୍ରତ୍ୟେକ ନାଗରିକ ଏବେ ଏକତାର ସହ କାମ କରିବେ ତେବେ ଏଭଳି ସ୍ଥିତିକୁ ଏଡ଼ାଇ ହେବ ବୋଲି ସେ କହିଛନ୍ତି। ସୋନିଆ କହିଛନ୍ତି, କରୋନା ବିଶ୍ବ ମହାମାରୀ ଯୋଗୁଁ ଭାରତରେ ଗରିବ ଏବଂ ଅସହାୟମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଏଭଳି ଜଟିଳ ସ୍ଥିତିରେ ସେମାନଙ୍କୁ ସହଯୋଗ କରିବାପାଇଁ ଆମେ ଏକଜୁଟ୍‌ ହେବା ଉଚିତ୍‌ । ଦେଶରେ ପ୍ରବାସୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସୋନିଆ ସେଥିପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି, ୨୧ ଦିନ ଲକ୍‌ଡାଉନ୍‌ର ଆବଶ୍ୟକ ଥାଇପାରେ କିନ୍ତୁ ସଠିକ୍‌ ଯୋଜନା ନଥାଇ ଏହାକୁ କାର୍ଯ୍ୟକାରୀ କରିବା ଦ୍ବାରା ଭାରତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଯନ୍ତ୍ରଣାଦାୟକ ହୋଇଯାଇଛି।

ସମ୍ବନ୍ଧିତ ଖବର