ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ ସୋନିଆ , ଏହି ଆସନରୁ ଲଢ଼ିବେ ଲୋକସଭା ନିର୍ବାଚନ

ରାୟବରେଲି: ଉପା ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଯାହା ଚର୍ଚ୍ଚା ହେଉଥିଲା, ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ କଂଗ୍ରେସର ଭିତରି ସୂତ୍ରରୁ ଜଣାଯାଇଛି ଯେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର ନିଜର ପାରଂପାରିକ ଆସନ ରାୟବରେଲିରୁ ହିଁ ନିର୍ବାଚନ ଲଢିବେ। ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ସେ ପ୍ରାୟ ତିନି ଦଶନ୍ଧି ଧରି ନିର୍ବାଚିତ ହୋଇ ଆସୁଛନ୍ତି। ଏଣୁ ପୁଣି ଥରେ ସୋନିଆ ଏଠାରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି।

ସୋନିଆଙ୍କ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇ ସାଧାରଣ ସଂପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଚର୍ଚ୍ଚା ହେଉଥିଲା ଯେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବେ, କିନ୍ତୁ କଂଗ୍ରେସ ଦଳ ତାଙ୍କୁ ପୁଣି ଥରେ ରାୟବରେଲି ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସୋନିଆ ଗାନ୍ଧୀ ଗତ ନଭେମ୍ବର ମାସରେ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସଲାଗି ପ୍ରଚାର କରିଥିଲେ ,ମାତ୍ର ତାପରେ ତାଙ୍କୁ କୌଣସି ରାଲିରେ ଦେଖିବାକୁ ମିଳି ନାହିଁ।

ସମ୍ବନ୍ଧିତ ଖବର