ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରିଛନ୍ତି। କିନ୍ତୁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)ଙ୍କୁ ଦଳରେ ସାମିଲ କରିବା ନେଇ କଂଗ୍ରେସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଏଥି ସହ ଆସନ୍ତା ମାସରେ ଉଦୟପୁରରେ ଏକ ତିନିଦିନିଆ ଚିନ୍ତନ ଶିବିରର ଆୟୋଜନ କରାଯିବ ବୋଲି ଦଳ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୋମବାର କହିଛନ୍ତି। ସୂର୍ଯ୍ୟେୱାଲା କହିଛନ୍ତି ଯେ, ମେ ୧୩, ୧୪ ଓ ୧୫ରେ ବିଭିନ୍ନ ରାଜ୍ୟରୁ ଆଗତ ପ୍ରାୟ ୪୦୦ ପୁରୁଷ ଓ ମହିଳା ସଦସ୍ୟଙ୍କୁ ନେଇ ଏହି ଚିନ୍ତନ ଶିବିରର ଆୟୋଜନ କରାଯିବ। ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା କରାଯିବ। କୃଷକ, କୃଷି ଶ୍ରମିକ, ଅନୁସୂଚିତ ଜାତି, ଉପଜାତି, ଓବିସି, ମହିଳା, ଧାର୍ମିକ ଓ ଭାଷାଗତ ସଂଖ୍ୟାଲଘୁଙ୍କ ବିଭିନ୍ନ ପ୍ରକାର ସମସ୍ୟା ଓ ତା’ର ନିରାକରଣ ଉପରେ ବିଚାରବିମର୍ଶ କରାଯିବ। ଏଥି ସହ କଂଗ୍ରେସର ଦୁର୍ବଳତା କେଉଁଠି ଅଛି ଏବଂ ସାଂଗଠନିକ ପୁନର୍ଗଠନ ମାଧ୍ୟମରେ କିପରି ତାକୁ ସଜାଡ଼ି ହେବ ତା’ ଉପରେ ଆଲୋଚନା କରାଯିବ ବୋଲି ସୂର୍ଯ୍ୟେୱାଲା କହିଛନ୍ତି।

Advertisment

ଏହି ଘୋଷଣାନାମା ଏପରି ସମୟରେ ପ୍ରକାଶ ପାଇଛି ଯେତେବେଳେ ଲୋକମାନେ ଆଶା କରୁଥିଲେ ଯେ ନିର୍ବାଚନ ରଣନୀତିକାର ପିକେଙ୍କ ସମ୍ପର୍କରେ କଂଗ୍ରେସ କିଛି ଗୋଟାଏ ବଡ଼ ନିଷ୍ପତ୍ତି ନେବ। କିନ୍ତୁ ସେପରି କିଛି ହେଲା ନାହିଁ। ପିକେ ଇତି ମଧ୍ୟରେ କଂଗ୍ରେସ ନେତୃତ୍ବ ସହ ଅତି କମ୍‌ରେ ତିନିଥର ବୈଠକ କରିସାରିଲେଣି। କଂଗ୍ରେସର ପୁନରୁତ୍‌ଥାନ ପାଇଁ ବହୁସୂତ୍ରୀ ଉପାୟ-ସମ୍ବଳିତ ଏକ ପ୍ରେଜେଣ୍ଟେସନ ମଧ୍ୟ ସେ ଦେଇଥିଲେ। ପିକେଙ୍କୁ ଦଳରେ ନେଲେ ତାଙ୍କୁ କି ଦାୟିତ୍ବ ବା ପଦପଦବି ଦିଆଯିବ ଏବଂ ତା’ର ପୁଣି ସକାରାତ୍ମକ ବା ନକାରାତ୍ମକ ଦିଗ କ’ଣ ରହିବ ସେ ନେଇ ଦଳର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିଛି ନେତା ତାଙ୍କୁ ଦଳରେ ନେବା ସପକ୍ଷରେ କହିଲା ବେଳେ କିଛି ବିପକ୍ଷରେ ମତ ଦେଇଥିଲେ। ପ୍ରିୟଙ୍କା ଗାନ୍ଧି ଭଦ୍ରା, ଅମ୍ବିକା ସୋନି ପ୍ରଭୃତି ସପକ୍ଷରେ କହିଲା ବେଳେ ଦିଗ୍‌ବିଜୟ ସିଂହ, ମୁକୁଳ ୱାସ୍‌ନିକ, ରଣଦୀପ ସୂର୍ଯ୍ୟେୱାଲା ଓ ଜୟରାମ ରମେଶ ପ୍ରଭୃତି ବିପକ୍ଷରେ କହିଥିଲେ। ବର୍ତ୍ତମାନ ଟାସ୍କ ଫୋର୍ସ ଗଠନ ସହ ଚିନ୍ତନ ଶିବିର ବିଷୟରେ ମୁଖପାତ୍ର ଘୋଷଣା କରିଥିବା ବେଳେ ପିକେଙ୍କ ବାବଦରେ ନୀରବ ରହିବା ଅନେକଙ୍କୁ ସଂଶୟରେ ପକାଇଛି।