ନୂଆଦିଲ୍ଲୀ: ବିହାରରେ ଏସ୍‌ଆଇଆର୍‌(ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ବିରୋଧ କରି ଇଣ୍ଡି ମେଣ୍ଟ ସଦସ୍ୟମାନେ ଆଜି ସଂସଦ ଭବନ ପରିସରରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଣ୍ଡି ମେଣ୍ଟ ସଦସ୍ୟଙ୍କର ଏହି ଆନ୍ଦୋଳନରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୋଗ ଦେଇଛନ୍ତି।  ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀ ସାଂସଦମାନେ ବିହାରରେ ନିର୍ବାଚନ କମିସନଙ୍କ ଏସ୍‌ଆଇଆର୍‌ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।  ବିରୋଧୀ ସଦସ୍ୟମାନେ ମଧ୍ୟ ଏହ‌ି ପ୍ରସଙ୍ଗରେ ଉଭୟ ଗୃହରେ ଆଲୋଚନା ପାଇଁ ଦାବି କରିଛନ୍ତି।  ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା‌ ପୂର୍ବରୁ କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି , ଜେଏମ୍‌ଏମ୍‌, ଆର୍‌ଜେଡି ଏବଂ ବାମ ଦଳ ସମେତ ଶୀର୍ଷ ବିରୋଧୀ ସାଂସଦମାନେ ସଂସଦର ମକର ଦ୍ବାର ବାହାରେ ଏକଜୁଟ ହୋଇଥିଲେ ଏବଂ ଏସ୍‌ଆଇଆର୍‌ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।  କଂଗ୍ରେସ ନେତା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଓ  କେସି ବେଣୁଗୋପାଳ, ସମାଜବାଦୀ ପାର୍ଟିର ଜିଆଉର୍‌ ରହମାନ ବର୍କ, ଟିଏମ୍‌ସିର କୀର୍ତି ଆଜାଦ , ଡିଏମ୍‌କେର ଏ ରାଜା ‘ସେଭ୍‌ ‌ଡେମୋକ୍ରାସି’ ଏବଂ ‘ଷ୍ଟପ୍‌ ଭୋଟ୍‌-ବନ୍ଦୀ’ ସ୍ଲୋଗାନ୍‌ ଦେଇଛନ୍ତି।