ଚର୍ଚ୍ଚାରେ ପ୍ରଣବଙ୍କ ପୁସ୍ତକ: କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ, ମନମୋହନ ଦାୟୀ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ୮୫ତମ ଜୟନ୍ତୀ। ଆଧୁନିକ ଭାରତର ରାଜନୀତିର ଏହି ପ୍ରବୀଣ ପୁରୋଧା ଏକ ସମୟରେ କଂଗ୍ରେସ ଦଳରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଟାଣୁଆ ଦାବିଦାର ଥିଲେ। କିନ୍ତୁ ପ୍ରଣବଙ୍କ କ୍ଷେତ୍ରରେ ଏହା ସାକାର ହୋଇପାରି ନଥିଲା। ଆଗାମୀ ଜାନୁଆରିରେ ଉନ୍ମୋଚିତ ହେବାକୁ ଥିବା ପ୍ରଣବଙ୍କ ଆତ୍ମଜୀବନୀ ପୁସ୍ତକ ‘କୋଆଲିସନ ଇୟର୍ସ’ର ଚତୁର୍ଥ ପର୍ବରେ ସେ ଲେଖିଛନ୍ତି ଯେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିଫଳତା ପାଇଁ ସୋନିଆ ଗାନ୍ଧିଙ୍କ ଦୁର୍ବଳ ନେତୃତ୍ବ ଦାୟୀ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ୟୁପିଏ ମେଣ୍ଟକୁ ବଞ୍ଚାଇବା ପାଇଁ ବ୍ୟସ୍ତ ରହିଥିଲେ, ସେତେବେଳେ ଦଳର ଅନ୍ୟ ସମସ୍ୟା ସୁଧାରିବା ପାଇଁ ଧ୍ୟାନ ଦେଉନଥିଲେ। ସୋନିଆ ଦଳର ସାଂଗଠନିକ ଦୁର୍ବଳତାକୁ ସୁଧାରିବାରେ ସକ୍ଷମ ନହେବାରୁ କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ନିରଙ୍କୁଶ ଭାବେ ଶାସନ ପରିଚାଳନା କରୁଥିଲେ ବୋଲି ମଧ୍ୟ ପ୍ରଣବ ଉଲ୍ଲେଖ କରିଛନ୍ତି। ଦିବଂଗତ ପୂର୍ବ ରାଷ୍ଟ୍ରପତି ପ୍ରଣବଙ୍କ ଏହି ଆତ୍ମଜୀବନୀ ପୁସ୍ତକରେ କଂଗ୍ରେସର ବିଭିନ୍ନ ଦୁର୍ବଳତା ସଂପର୍କରେ ଉଲ୍ଲେଖ ଥିବାରୁ ଏହା ଦଳର ସମସ୍ୟା ବଢ଼ାଇବ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପାଳିରେ ନିରଙ୍କୁଶ ଶାସନ କରୁଥିଲେ
୨୦୦୪ରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଭାବିଥିଲେ ପ୍ରଣବ

୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ ହୋଇଥିବା ପ୍ରଣବ ‘କୋଆଲିସନ ଇୟର୍ସ’ର ତୃତୀୟ ପର୍ବରେ ଲେଖିଥିଲେ ଯେ ଯେତେବେଳେ ଏନ୍‌ଡିଏ ସରକାରର ପତନ ଘଟିଲା ସେତେବେଳେ କଂଗ୍ରେସ ନେତୃତ୍ବରେ ୟୁପିଏ ଗଠନ ହେବାପରେ ସୋନିଆ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୧୮ ମେ ୨୦୦୪ରେ ସୋନିଆ ତାଙ୍କ ‘ଅନ୍ତରାତ୍ମାର ସ୍ବର’ ଶୁଣି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୋନିଆ ପ୍ରଧାନମନ୍ତ୍ରୀ ହେବା ପାଇଁ ମନା କରିବାରୁ ସେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ବୋଲି ପ୍ରଣବ ଧରି ନେଇଥିଲେ। ତେବେ ସୋନିଆଙ୍କ ମନରେ ଭିନ୍ନ ଯୋଜନା ଥିଲା ଏବଂ ସେଥିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଣବଙ୍କ ସ୍ଥାନ ନଥିଲା। ପ୍ରଣବ ଲେଖିଛନ୍ତି, ସୋନିଆଙ୍କ ଘୋଷଣା ସଂପର୍କରେ ସେ ଅହମ୍ମଦ ପଟେଲଙ୍କଠାରୁ ଖବର ପାଇଥିଲେ ଏବଂ ସେ ତୁରନ୍ତ ସୋନିଆଙ୍କ ବାସଭବନକୁ ଯାଇଥିଲେ। ସୋନିଆ ତାଙ୍କ ନିଷ୍ପତ୍ତି ବଦଳାଇ ନଥିଲେ ଏବଂ ମନ‌ମୋହନଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର