ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଟିଡିପି ପକ୍ଷରୁ ଏନ୍ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଲୋକସଭାରେ କାହା ସପକ୍ଷରେ ବହୁମତ ଅଛି ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏ ନେଇ ପ୍ରଶ୍ନ ହେବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ସପକ୍ଷରେ ବହୁମତ ଅଛି ବୋଲି ସିଧାସଳଖ କହିଥିଲେ। କିଏ କହିଲା ଦଳ ନିକଟରେ ସଂଖ୍ୟା ନାହିଁ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ସୋନିଆଙ୍କ ଏଭଳି ଦୃଢ଼ୋକ୍ତି ଶାସକ ଦଳ ବିଜେପିକୁ ବି ଚିନ୍ତାରେ ପକାଇଥିଲା। ତେବେ ଆଜି ବିଜେପି ଖୋଲାଖୋଲି ଭାବେ ସୋନିଆଙ୍କୁ ଟାର୍ଗେଟ୍ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ସୋନିଆଙ୍କ ଗଣିତ ଅତ୍ୟନ୍ତ ଦୁର୍ବଳ। ସେ କହିଛନ୍ତି ଯେ ବିଜେପିର ଏକାକୀ ୨୭୩ ସାଂସଦ ରହିଥିବା ବେଳେ ଅନ୍ୟ ସହଯୋଗୀ ଦଳଗୁଡ଼ିକର ସାଂସଦ ବି ଦଳ ସହିତ ଅଛନ୍ତି। ତେଣୁ କୌଣସିମତେ ବିରୋଧୀଙ୍କ ସପକ୍ଷରେ ଅନାସ୍ଥା ଭୋଟିଂ ଯିବନାହିଁ। କଂଗ୍ରେସ ଏବେ ବି ୧୯୯୬ ଘଟଣାରେ ହୋଇଥିବା ଗାଣିତିକ ହିସାବକୁ ଆଖିରେ ରଖି ଅନାସ୍ଥା ଜିତିବ ବୋଲି ଭାବୁଛି। ଉଲ୍ଲେଖଯୋଗ୍ୟ, ୧୯୯୬ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିପାରି ନ ଥିଲା। ବିଜେପି ସେତେବେଳେ କମ୍ ସମୟ ପାଇଁ ସରକାର ଚଳାଇଥିଲା। ଲୋକସଭାରେ ବିଜେପି ଗୋଟିଏ ଭୋଟ୍ ନ ପାଇ ବହୁମତ ହରାଇଥିଲା। ଏହାପରେ ଏଚ୍ ଡି ଦେବେଗୌଡ଼ା ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।
କଂଗ୍ରେସ ପକ୍ଷରୁ ଆଗ ମୁହଁ ଖୋଲିବେ ରାହୁଲ
ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପାଇଁ ଦିନସାରା ବିତର୍କ ଚାଲିବ। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିଁ ପ୍ରଥମେ ବିତର୍କ ଆରମ୍ଭ କରିବେ ବୋଲି ଜଣାଯାଇଛି। ଲୋକସଭାରେ କଂଗ୍ରେସ ପକ୍ଷରୁ ସାଧାରଣତଃ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମେ ପ୍ରସଙ୍ଗ ଉଠାଇଥାନ୍ତି। ଏହାପରେ ଦଳର ଅନ୍ୟ ନେତାମାନେ ପାଳି ଧରିଥାନ୍ତି। କିନ୍ତୁ ଏଥର ବିତର୍କର ଗୁରୁତ୍ୱକୂ ବୁଝି ଦଳ ରାହୁଲଙ୍କୁ ପ୍ରଥମେ ମୁହଁ ଖୋଲିବାକୁ ସୁଯୋଗ ଦେବ। ଲୋକସଭାରେ କଂଗ୍ରେସର ୪୮ ସାଂସଦ ଥିବା ବେଳେ କାଲିର ବିତର୍କ ପାଇଁ ଦଳକୁ ୩୮ ମିନିଟ୍ ଦିଆଯାଇଛି। ତେଣୁ ଏ ନେଇ ଯୁକ୍ତି ବାଢ଼ିବାକୁ ଦଳର ଅଧିକାଂଶ ନେତାଙ୍କୁ ସୁଯୋଗ ମିଳି ନ ପାରେ। ଏଭଳି ପରିସ୍ଥିତିରେ ରାହୁଲ ଅଧିକ ସମୟ କହିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଅଧିବେଶନରେ ତାଙ୍କୁ ଅଧିକ ସମୟ କହିବାକୁ ସୁଯେଗା ମିଳୁନାହିଁ ବୋଲି ରାହୁଲ କହିଥିଲେ। ତାଙ୍କୁ ୧୫ ମିନିଟ୍ କହିବାକୁ ସୁଯୋଗ ଦେଲେ ଗୃହରେ ଭୂମିକମ୍ପ ହେବ ବୋଲି ରାହୁଲ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/sonia-gandhi.jpg)