ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଉତ୍ତେଜନା ବଢିଚାଲିଛି । ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଇତି ମଧ୍ୟରେ ତେଲେଙ୍ଗାନା କଂଗ୍ରେସ ସୋନିଆ ଗାନ୍ଧିଙ୍କୁ ନେଇ ଏକ ସଂକଳ୍ପ ପାରିତ କରିଛି। ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନେଇ କଂଗ୍ରେସ ଏକ ସଂକଳ୍ପ ପାରିତ କରିଛି। ଏଥିରୁ ଅନୁମାନ କରାଯାଉଛି ଯେ ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡିପାରନ୍ତି ।

Advertisment

ସୋନିଆ ଗାନ୍ଧି ତେଲେଙ୍ଗାନାର ମେଡକ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଛନ୍ତି। କଂଗ୍ରେସ ନେତ୍ରୀ ମଧୁ ୟାକ୍ଷୀ ଗୌଡ କହିଛନ୍ତି ଯେ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ଆମେ ସଂକଳ୍ପ ପାରିତ କରିଛୁ। ତାଙ୍କ ଲଢ଼େଇ ସମଗ୍ର ଦକ୍ଷିଣ ଭାରତରେ ଦଳପାଇଁ ଲାଭଦାୟକ ହେବ।

ସୋନିଆ ଗାନ୍ଧି ବର୍ତ୍ତମାନ ରାୟବରେଲିରୁ ସାଂସଦ ଅଛନ୍ତି। ଗତ ୭୨ ବର୍ଷ ମଧ୍ୟରୁ ୬୬ ବର୍ଷ ହେଲା ଏହି ଆସନ ଗାନ୍ଧି ପରିବାରର ଗଡ଼ ରହିଆସିଛି । ଗତ ୪ଟି ଲୋକସଭା ନିର୍ବାଚନରେ  ଲଗାତାର ସୋନିଆ ଏଠାରୁ ବିଜୟୀ ହୋଇଛନ୍ତି। ପୁଣି ପ୍ରତ୍ୟେକ ଥର ତାଙ୍କର ଭୋଟ ହାର ବଢିଚାଲିଛି ।