ରାଏବରେଲୀ/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲୀ ଲୋକସଭା ଆସନରୁ ବିଜୟ ଲାଭ କରିବା ପରେ କଂଗ୍ରେସର ଉପଦେଷ୍ଟା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରଥମ ଥର ପାଇଁ ରାଏବରେଲୀ ଗସ୍ତରେ ଯାଇଛନ୍ତି। ସୋନିଆ ଗାନ୍ଧୀଙ୍କ ସହ ତାଙ୍କ କନ୍ୟା ତଥା କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରାଏବରେଲୀ ଗସ୍ତ କରିଛନ୍ତି।
ସଦ୍ୟସମାପ୍ତ ନିର୍ବାଚନରେ ରାଏବରେଲୀ ଲୋକସଭା ଆସନରୁ ବିଜୟଲାଭ କରିବା ପରେ ଆଜି ପ୍ରଥମ ଥର ପାଇଁ ରାଏବରେଲୀ ଗସ୍ତରେ ଆସିଥିବା ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଦଳୀୟ ବିଧାୟକ, ପୂର୍ବତନ ବିଧାୟକ ଓ ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୋନିଆ ଗାନ୍ଧୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହଙ୍କୁ ୧.୬୭ଲକ୍ଷ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶରେ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଖୋଦ୍ କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ପୁତ୍ର ରାହୁଲ ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ ପରାଜୟ ସମ୍ମୁଖୀନ ହୋଇଛନ୍ତି।
ଏ ପରିସ୍ଥିତିରେ ସୋନିଆଙ୍କ ବିଜୟ ଦଳ ପାଇଁ ଆଶ୍ୱାସନାର ବିଷୟ ପାଲଟିଥିବା ବେଳେ ଉତ୍ତରପ୍ରଦେଶରେ ଦଳର ପରାଜୟର କାରଣ ଖୋଜିବାକୁ ସୋନିଆ ରାଏବରେଲୀ ଗସ୍ତରେ ଆସିଥିବା ଆଲୋଚନା ହେଉଛି।