ନୂଆଦିଲ୍ଲୀ: ଭେଟେରାନ କଂଗ୍ରେସ ନେତା ପିସି ଚାକୋ ବୁଧବାର ଦିନ ଘୋଷଣା କରିଛନ୍ତି ଯେ ସେ ଦଳ ଛାଡିଛନ୍ତି ଏବଂ ନିଜର ଇସ୍ତଫା ପତ୍ର ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବରିଷ୍ଠ ନେତା ପିସି ଚାକୋଙ୍କ ଇସ୍ତଫା ଦଳ ପାଇଁ ଏକ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି।
କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ରରେ ଶ୍ରୀ ଚାକୋ ଲେଖିିଛନ୍ତି, ‘ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। କିନ୍ତୁ, ଏବେ କେରଳ କଂଗ୍ରେସ ଦଳ ସହ କାମ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। କଂଗ୍ରେସ ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି ସହିତ ମୁଁ ଛିଡ଼ା ହୋଇଥିଲି, କିନ୍ତୁ ବର୍ତ୍ତମାନ ଏହା ବହୁତ କଷ୍ଟସାଧ୍ୟ ଅଟେ। ସଂପ୍ରତି ଓମେନ ଚାଣ୍ଡି ଏବଂ ରମେଶ ଚେନ୍ନାଇଥାଲାଙ୍କ ନିର୍ଦ୍ଦେଶ ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ଗାନ୍ଧୀ ଏବଂ ରାହୁଲ ଜୀ ଏହା ଭଲ ଭାବରେ ଜାଣିଛନ୍ତି ଏବଂ ନେତାମାନଙ୍କୁ ଗୋଷ୍ଠୀବାଦରୁ ନିବୃତ୍ତ ହେବାକୁ ପରାମର୍ଶ ଦେଇଛନ୍ତି। ହେଲେ, ସେମାନଙ୍କ ପରାମର୍ଶ ସତ୍ତ୍ୱେ ଏହା ଜାରି ରହିଛି’।
ଦଳରୁ ଇସ୍ତଫା ଦେବା ପରେ ପିସି ଚାକୋ କେରଳ କଂଗ୍ରେସ ନେତୃତ୍ୱକୁ ଦାୟୀ କରି କହିଛନ୍ତି ଯେ ଏହା ଦୁଇଟି ଭିନ୍ନ ଗୋଷ୍ଠୀ ମଧ୍ୟରେ କାର୍ଯ୍ୟ କରୁଛି ଏବଂ ପାର୍ଟି ହାଇକମାଣ୍ଡ ଜଣେ ମୂକ ଦର୍ଶକ। କେରଳରେ କଂଗ୍ରେସ ଦଳ ଭାବରେ ନୁହେଁ, ବରଂ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସମନ୍ଵୟ କମିଟି ଭାବେ କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।