ନୂଆଦିଲ୍ଲୀ : ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ୭ ଟି ସଂସଦୀୟ ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଏଥର ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦିଲ୍ଲୀରେ ସିଟ୍ ବଣ୍ଟନ ଅନୁଯାୟୀ ସାତୋଟି ସିଟ୍ ମଧ୍ୟରୁ ଏଏପି ପାଖରେ ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ ଆଦି ଚାରିଟି ସିଟ୍ ରହିଛି।
ଚାନ୍ଦନୀ ଚୌକ୍, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରେ କଂଗ୍ରେସ ନିର୍ବାଚନ ଲଢୁଛି। ଗାନ୍ଧୀ ପରିବାର ଏଥର କଂଗ୍ରେସକୁ ଭୋଟ୍ ଦେଇ ପାରି ନାହାନ୍ତି। ଇତିହାସରେ ଏହା ପ୍ରଥମ ଥର ହୋଇଛି ଯେତେବେଳେ ଭେଟେରାନ କଂଗ୍ରେସ ନେତାମାନେ ନିଜ ଦଳକୁ ଭୋଟ୍ ଦେଇ ନାହାନ୍ତି।
ଏହି ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା କଂଗ୍ରେସକୁ ଭୋଟ୍ ଦେଇ ନାହାନ୍ତି।
ରବର୍ଟ ଭଦ୍ରାଙ୍କ ସମେତ ସମଗ୍ର ଗାନ୍ଧୀ ପରିବାରର ଭୋଟର ତାଲିକା ନୂଆଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରେ ରହିଛି। ଏହି ଆସନରେ ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରୁ ଏଏପି ସୋମନାଥ ଭାରତୀଙ୍କୁ ପ୍ରାର୍ଥୀ କରିଛି।
କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀର ଔରଙ୍ଗଜେବ ଲେନରେ ଅବସ୍ଥିତ ଏକ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି। ଏଥିସହିତ ସୋନିଆ ଗାନ୍ଧୀ ନିର୍ବାଣ ଭବନରେ ଅବସ୍ଥିତ ମତଦାନ ବୁଥକୁ ଯାଇ ଭୋଟ୍ ଦେଇଛନ୍ତି। ଲୋଧୀ ଇଷ୍ଟେଟ୍ ଅଞ୍ଚଳରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ପୁଅ ରେହାନ୍ ଭଦ୍ରାଙ୍କ ସହ ଭୋଟ୍ ଦେଇଛନ୍ତି। ଏହି ସମସ୍ତ ମତଦାନ ବୁଥ ନୂଆଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସିଛି । ଯେଉଁଠାରେ ଏଏପି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସେଠାରେ କଂଗ୍ରେସ ପ୍ରାର୍ଥୀ ନାହାନ୍ତି।