ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ତେବେ କଂଗ୍ରେସ ପାଇଁ ଏକ ଖରାପ ଖବର ରହିଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା‌ ‌ଲୋକସଭା ନିର୍ବାଚନରେ ସେମାନଙ୍କ ଭୋଟ୍ ନିଜ ଦଳ କଂଗ୍ରେସକୁ ଦେଇ ପାରିବେ ନାହିଁ। ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ମେ‘ ୨୫ରେ ମତଦାନ କରାଯିବ। ଚଳିତ ଥର ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ୭ ଆସନ ମଧ୍ୟରୁ ଏଏପି ୪ ଆସନରେ ଏବଂ କଂଗ୍ରେସ ୩ ଆସନରେ ନିର୍ବାଚନ ଲଢୁଛି। ନୂଆଦିଲ୍ଲୀ,ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଏବଂ ଊତ୍ତର ପଶ୍ଚିମ ଦିଲ୍ଲୀରେ ଏଏପି ଲଢୁଛି। ଅପରପକ୍ଷରେ ଚାନ୍ଦନୀ ଚୌକ୍, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଊତ୍ତର ପଶ୍ଚିମ ଦିଲ୍ଲୀ ଆସନରୁ କଂଗ୍ରେସ ଲଢୁଛି। ମାତ୍ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗାନ୍ଧୀ ପରିବାର ଏଥର କଂଗ୍ରେସକୁ ଭୋଟ୍ ଦେବେ ନାହିଁ। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା‌ ଏବଂ ପ୍ରିୟଙ୍କାଙ୍କ ସ୍ବାମୀ ରର୍ବଟ ଭଦ୍ରା ‌ଲୋକସଭା ନିର୍ବାଚନରେ କଂଗ୍ରେସକୁ ନିଜ ଭୋଟ୍ ଦେଇ ପାରିବେ ନାହିଁ।
ପ୍ରକୃତପକ୍ଷେ ସେମାନେ ସଭିଏଁ ନୂଆଦିଲ୍ଲୀ ଲୋକସଭା ଅଞ୍ଚଳର ଭୋଟର। ତେବେ ଏଏପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା‌ ଏବଂ ପ୍ରିୟଙ୍କାଙ୍କ ସ୍ବାମୀ ରର୍ବଟ ଭଦ୍ରାଙ୍କ ଭୋଟର ତାଲିକା ଏଏପି ଲୋକସଭା ଆସନ ନୂଆଦିଲ୍ଲୀରେ ରହିଛି। ସେଠାରେ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ। ଫଳରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା‌ ଏବଂ ପ୍ରିୟଙ୍କାଙ୍କ ସ୍ବାମୀ ରର୍ବଟ ଭଦ୍ରା ବାଧ୍ୟ ହୋଇ ଏଏପି ପ୍ରାର୍ଥୀଙ୍କୁ ନିଜ ଭୋଟ୍ ଦେଇ ବିଜୟୀ କରାଇବାର ପ୍ରୟାସ କରିବେ।

Advertisment

ସାଧାରଣତଃ ରାହୁଲ ଦିଲ୍ଲୀର ଔରଙ୍ଗଜେବ୍ ଲେନ୍ ସ୍ଥିତ ମତଦାନ କେନ୍ଦ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥାନ୍ତି। ‌ସୋନିଆ ନିର୍ମାଣ ଭବନ ସ୍ଥିତ ମତଦାନ କେନ୍ଦ୍ରରେ ଭୋଟ୍ ଦେଉଥିବାବେଳେ ପ୍ରିୟଙ୍କା ତାଙ୍କ ସ୍ବାମୀ ରର୍ବଟ ଏବଂ ପୁଅ ରେହାନ ଭଦ୍ରାଙ୍କ ସହିତ ଲୋଧି ଷ୍ଟେଟ୍ ଅଞ୍ଚଳରେ ମତଦାନ କରିଥାନ୍ତି। ଏସମସ୍ତ ମତଦାନ କେନ୍ଦ୍ର ନୂଆଦିଲ୍ଲୀ ଲୋକସଭା ଆସନରେ ରହିଛି।