ନିର୍ବାଚନୀ ବିପର୍ଯ୍ୟୟ: ୫ ରାଜ୍ୟର କଂଗ୍ରେସ ମୁଖ୍ୟଙ୍କୁ ହଟାଇଲେ ସୋନିଆ

ନୂଆଦିଲ୍ଲୀ : ନିକଟରେ ନିର୍ବାଚନ ସରିଥିବା ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଏବଂ ମଣିପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ମଙ୍ଗଳବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଉପରୋକ୍ତ ୫ ରାଜ୍ୟର ପିସିସି (ପ୍ରଦେଶ କଂଗ୍ରେସ କମିଟି) ମୁଖ୍ୟଙ୍କୁ ସୋନିଆ ଇସ୍ତଫା ଦେବାପାଇଁ କହିଛନ୍ତି। ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ବୈଠକର ୨ ଦିନ ପରେ ସୋନିଆ ମଙ୍ଗଳବାର ଦିନ ଏହି ନିଷ୍ପତ୍ତି ଶୁଣାଇଛନ୍ତି। କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ଏକ ଟ୍ବିଟ୍‌ କରି ସୋନିଆଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ଉକ୍ତ ୫ ରାଜ୍ୟରେ ସାଂଗଠନିକ ପୁନର୍ଗଠନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂର୍ଯେୱାଲା କହିଛନ୍ତି। ସୋନିଆଙ୍କ ନିର୍ଦ୍ଦେଶକ୍ରମେ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ, ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଡ଼ିୟାଲ, ଗୋଆ କଂଗ୍ରେସ ମୁଖ୍ୟ ଗିରିଶ ଚୋଡଙ୍କର, ମଣିପୁର କଂଗ୍ରେସ ମୁଖ୍ୟ ଲୋକେନ ସିଂହ ଏବଂ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲ୍ଲୁ ନିଜ ନିଜ ପଦରୁ ଇସ୍ତଫା ଦେବେ।

ସୂର୍ଯ୍ୟେୱାଲାଙ୍କ ଟ୍ବିଟ୍‌ର କିଛି ସମୟ ପରେ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଡିୟାଲ୍‌ ଏକ ଟ୍ବିଟ୍‌ କରି ନିଜ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ରାଜ୍ୟରେ ଦଳର ପରାଜୟ ପାଇଁ ନୈତିକ ଭାବେ ନିଜୟକୁ ଦାୟୀ କରି ଗୋଡିୟାଲ ଇସ୍ତଫା ଦେଇଛନ୍ତି। କଂଗ୍ରେସ ହାତରୁ ପଂଜାବ ଖସିଗଲା। ଆପ୍‌ର ବିଜୟ ସହ କଂଗ୍ରେସର ପରାଜୟ ଦଳକୁ ଶକ୍ତ ଧକ୍କା ଦେଇଛି। ଅନ୍ୟପକ୍ଷେ ଅନ୍ୟ ୪ ରାଜ୍ୟରେ ବି ଦଳର ପ୍ରଦର୍ଶନ ଭଲ ନାହିଁ। ପଂଜାବ କଂଗ୍ରେସରେ କନ୍ଦଳ ଯୋଗୁଁ ଦଳ ପଂଜାବରେ ହାରିଗଲା। ପଂଜାବ କଂଗ୍ରେସ ମୁଖ୍ୟ ସିଦ୍ଧୁଙ୍କ ସମେତ ଅନ୍ୟ ୪ ରାଜ୍ୟର ମୁଖ୍ୟମାନେ ଇସ୍ତଫା ଦେବାପାଇଁ ସୋନିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ୫ ଘଣ୍ଟା ଧରି ସିଡବ୍ଲ୍ୟୁସି ବୈଠକ ଚାଲିଥିଲା। ସୋନିଆ ହିଁ ଦଳର ସଭାପତି ରହିବେ ବୋଲି ବୈଠକରେ ନେତାମାନେ କହିଥିଲେ ଏବଂ ସୋନିଆ ଆଗରେ ରହି ଦଳର ନେତୃତ୍ବ ନେବାପାଇଁ ନେତାମାନେ ଅନୁରୋଧ କରିଥିଲେ। ‌ତେବେ ବୈଠକରେ ଦଳର ସାଂଗଠନିକ ପରିବର୍ତ୍ତନ ପାଇଁ ଗୁରୁତ୍ବାରୋପ କରାଯାଇଥିଲା। ତେଣୁ ବୈଠକର ୨ ଦିନ ପରେ ସୋନିଆ ୫ ରାଜ୍ୟର କଂଗ୍ରେସ ମୁଖ୍ୟଙ୍କୁ ଇସ୍ତଫା ଦେବାପାଇଁ କହିଛନ୍ତି।

ବଜେଟ୍‌ ଅଧିବେଶନ ଶେଷ ହେବା ପରେ ଦଳ ଏକ ଚିନ୍ତନ ଶିବିର କରିବାପାଇଁ ଯୋଜନା କରୁଛି। ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଉତ୍ତରପ୍ରଦେଶରେ ବରିଷ୍ଠ ନେତାମାନଙ୍କ ସହ ଦଳର ଅତ୍ୟନ୍ତ ଖରାପ ପ୍ରଦର୍ଶନ ନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର