କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି : ସୋନିଆ ବାଛିବେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ

ସିଦ୍ଧୁ ଜାତୀୟ ସୁରକ୍ଷା ପ୍ରତି ବିପଦ : ଅମରିନ୍ଦର

ଚଣ୍ଡିଗଡ଼ : ଆଜି ଅନୁଷ୍ଠିତ ପଂଜାବ କଂଗ୍ରେସ ବିଧାୟକ ଦଳ ନେତା ବୈଠକରେ ଦୁଇଟି ସଂକଳ୍ପ ଗୃହୀତ ହୋଇଛି । ପ୍ରଥମ ସଂକଳ୍ପରେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ ଦ୍ବିତୀୟ ସଂକଳ୍ପରେ ବିଧାୟକ ଦଳ ନେତା ଅର୍ଥାତ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପରେ ନ୍ୟସ୍ତ କରାଯାଇଛି । ସୋନିଆ ଯାହାକୁ ନେତା ବାଛିବେ ତାଙ୍କୁ ବିଧାୟକମାନେ ସମର୍ଥନ କରିବେ ବୋଲି କଂଗ୍ରେସର ପଂଜାବ ପ୍ରଭାରୀ ହରିଶ ରାଓ୍ବତ କହିଛନ୍ତି । ତେବେ ଆଜିର ବୈଠକରେ ବିଧାୟକ ଦଳ ନେତାଭାବେ କୌଣସି ନାମ ଉପରେ ଚର୍ଚ୍ଚା କରାଯାଇ ନଥିଲା ବୋଲି ପଂଜାବ ପାଇଁ କଂଗ୍ରେସ ପର୍ୟ୍ୟବେକ୍ଷକ ଅଜୟ ମାକେନ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କରାଗଲେ ସେ ବିରୋଧ କରିବେ ବୋଲି କହିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଗଣମାଧ୍ୟମକୁ ସେ କହିଛନ୍ତି ରାଷ୍ଟ୍ରର ସ୍ବାର୍ଥ ଦୃଷ୍ଟିରୁ ସେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିବେ । କାରଣ ଏହା ଜାତୀୟ ସୁରକ୍ଷା ସହ ଜଡ଼ିତ ଏକ ମାମଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସିଦ୍ଧୁଙ୍କ ବନ୍ଧୁ । ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜଓ୍ବାଙ୍କ ସହିତ ତାଙ୍କର ସମ୍ପର୍କ ରହିଛି । ଏଣୁ ସେ ମୁଖ୍ୟମନ୍ତ୍ରୀ ହେଲେ ତାହା ସମଗ୍ର ଭାରତର ସୁରକ୍ଷାକୁ ବିପନ୍ନ କରିବ ।

ଆଜି  ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅପରାହ୍ଣ ସାଢେ ୪ଟା ବେଳେ ସେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଥିଲେ ।

 

ସମ୍ବନ୍ଧିତ ଖବର