ସୋନିଆ ବନାମ ଅନୁରାଗ ଠାକୁର: ସଂସଦରେ ନିଶ୍ଚିତ ନିଯୁକ୍ତି ଯୋଜନା ନେଇ ବିତର୍କ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ନିଶ୍ଚିତ ନିଯୁକ୍ତି ଯୋଜନା, ମନ‌ରେଗା (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଶ୍ଚିତ ଯୋଜନା) ପ୍ରସଙ୍ଗରେ ସୋନିଆ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି। ସୋନିଆ କହିଛନ୍ତି, କଂଗ୍ରେସ ଶାସନ ସମୟରେ ମନରେଗା ଯୋଜନା ଆରମ୍ଭ ହୋଇଥିଲା। ମନରେଗାକୁ କିଛି ବର୍ଷ ପୂର୍ବେ ଅନେକ ଲୋକ ପରିହାସ କରୁଥିଲେ। କିନ୍ତୁ ଏହି ଯୋଜନା ଦ୍ବାରା କରୋନା ଏବଂ ଲକ୍‌ଡାଉନ୍‌ ଯୋଗୁଁ ଅନେକ ପ୍ରଭାବିତ ପରିବାର ସଠିକ୍‌ ସମୟରେ ଅନେକ ସୁବିଧା ପାଇ ପାରିଛନ୍ତି। କିନ୍ତୁ ସରକାର ଏହି ଯୋଜନା ପାଇଁ ବଜେଟ୍‌ରେ ଆବଣ୍ଟନ କମାଇ ଦେଉଥିବାରୁ ସୋନିଆ ଏଥିପାଇଁ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ୨୦୨୦ ତୁଳନାରେ ଚଳିତ ବର୍ଷ ମନରେଗା ବଜେଟ୍‌ ୩୫ ପ୍ରତିଶତ କମ୍‌ ରହିଛି। ନିଯୁକ୍ତି ବଢ଼ିବା ସତ୍ତ୍ବେ ବଜେଟ୍‌ କମ୍‌ ରହିଛି। ବଜେଟ୍‌ କମିବାଦ୍ବାରା କର୍ମଚାରୀଙ୍କୁ ବେତନ ଦେବାରେ ବିଳମ୍ବ ହୁଏ। ସୋନିଆ କହିଛନ୍ତି, ସରକାରଙ୍କ ଏହି କାର୍ଯ୍ୟ ଠିକ୍‌ ନୁହେଁ।

ସରକାର ଉକ୍ତ ଯୋଜନା ପାଇଁ ସଠିକ୍‌ ଆବଣ୍ଟନ କରିବା ଉଚିତ୍‌। ଶ୍ରମିକମାନେ ବି ୧୫ ଦିନ ମଧ୍ୟରେ ସେମାନଙ୍କ ପାରିଶ୍ରମିକ ପାଇବା ଉଚିତ୍‌। ତୃତୀୟ‌ରେ ଯଦି ପାରିଶ୍ରମିକ ବିଳମ୍ବ ‌ହେଉଛି ତେବେ ଏଥିରେ କ୍ଷତିପୂରଣ ମିଳିବା ଦରକାର। କଂଗ୍ରେସ ଦଳ ଦେଶବ୍ୟାପୀ ତୈଳ ଦର ବୃଦ୍ଧି ନେଇ ଆନ୍ଦୋଳନ କରିଥିବାବେଳେ ସୋନିଆ ଆଜି ସଂସଦରେ ଏହି ଟିପ୍ପଣୀ ଦେଇଛନ୍ତି। ସୋନିଆଙ୍କ ଏହି ଟିପ୍ପଣୀର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆମେ ଜିଓଟ୍ୟାଗିଂ ଆରମ୍ଭ କରିଛୁ ଏବଂ ଏହା ଉପରେ କାମ କରୁଛୁ। ଆଜି ମନରେଗା କର୍ମୀମାନେ ଗୋଟିଏ ବଟନ୍‌ ଦାବିଲେ ତାଙ୍କ ଆକାଉଣ୍ଟ୍‌ରେ ଟଙ୍କା ପାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା’ ଆକାଉଣ୍ଟ୍‌ ଖୋଲିଛନ୍ତି ଏବଂ ମନରେଗା କର୍ମୀଙ୍କ ଟଙ୍କା ଏହି ଆକାଉଣ୍ଟ୍‌କୁ ପଠାଯାଉଛି। ଠାକୁରଙ୍କ ଟିପ୍ପଣୀକୁ ବିରୋଧ କରି ଅନେକ କଂଗ୍ରେସ ସାଂସଦ ଆଜି ସଂସଦରେ ବିରୋଧ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର