ସୋନିଆଙ୍କୁ ୬ ଘଣ୍ଟା ଜେରା, କଂଗ୍ରେସର ବିରୋଧ ପ୍ରଦର୍ଶନ: ଆଜି ପୁଣି ହାଜର ହେବେ

ଯୁବ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସର ଦୁର୍ବ୍ୟବହାର

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଥିଲେ। ସୋନିଆଙ୍କୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୬ ଘଣ୍ଟା ଜେରା କରାଯାଇଛି। ଆସନ୍ତାକାଲି ତାଙ୍କୁ ପୁଣିଥରେ ଜେରା ପାଇଁ ସମନ କରାଯାଇଛି। ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ସୋନିଆ ଆଜି ପୂର୍ବାହ୍ନ ୧୧ଟା ସମୟରେ ଇଡି ଅଫିସରେ ପହଞ୍ଚିଥିଲେ। ତେ‌ବେ ରାହୁଲ ସେଠାରୁ ତୁରନ୍ତ ଫେରି ଯାଇଥିଲେ। ପ୍ରିୟଙ୍କା ଇଡି ଅଫିସ୍‌ର ଅନ୍ୟ ଏକ ରୁମ୍‌ରେ ବସିଥିଲେ। ସୋନିଆ ନିକଟରେ କରୋନାରୁ ସୁସ୍ଥ ହୋଇଥିବାରୁ ପ୍ରିୟଙ୍କାଙ୍କୁ ତାଙ୍କ ସହ ରହିବାପାଇଁ ଅନୁମତି ଥିଲା। ୧୧.୧୫ରେ ସୋନିଆଙ୍କୁ ଜେରା ଆରମ୍ଭ ହୋଇଥିଲା। ଏଥିପାଇଁ ସମସ୍ତ କରୋନା ସୁରକ୍ଷା ନିୟମାବଳି ପାଳନ ହୋଇଛି। ଏପରିକି କୌଣସି ଇମର୍ଜେନ୍ସି ପାଇଁ ଇଡି ଅଫିସରେ ୨ ଜଣ ଡାକ୍ତର ଏବଂ ଏକ ଆମ୍ବୁଲାନ୍ସ ଥିଲା। ୨ଘଣ୍ଟା ଜେରା ପରେ ସୋନିଆ କିଛି ସମୟ ବିରତି ନେଇଥିଲେ। ତାଙ୍କୁ ପୁଣିଥରେ ଅପରାହ୍ନ ୩.୩୦ରେ ଜେରା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସୋନିଆଙ୍କୁ ଜୁଲାଇ ୨୧ରେ ପ୍ରଥମ ପର୍ଯ୍ୟାୟରେ ଜେରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ପାଖାପାଖି ୩ ଘଣ୍ଟା ଜେରା କରାଯାଇଥିଲା। ସୋନିଆଙ୍କୁ ଇଡି ଜେରାକୁ ବିରୋଧ କରି ଆଜି ଦିଲ୍ଲୀ ସମେତ ବିଭିନ୍ନ ସହରରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

ଦିଲ୍ଲୀରେ ଧାରଣା, ବିକ୍ଷୋଭ, ରାହୁଲଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆଜି ଦ୍ବିତୀୟ ପର୍ଯ୍ୟାୟ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରାକୁ ବିରୋଧ କରି ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ ହୋଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଦଳର ଅନ୍ୟ ସାଂସଦମାନେ ବିଜୟ ଚୌକ ନିକଟରେ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ରାହୁଲଙ୍କ ସମେତ ପ୍ରାୟ ୫୦ ସାଂସଦଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖି ସନ୍ଧ୍ୟାରେ ଛାଡ଼ିଥିଲେ। ରାହୁଲ କହିଛନ୍ତି, ଭାରତ ହେଉଛି ଏକ ପୁଲିସ ରାଷ୍ଟ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏହାର ରାଜା। ରାହୁଲ ଏବଂ ଅନ୍ୟ ନେତାମାନେ ଆଜି ବିଜୟ ଚୌକ୍‌ରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥାନ୍ତେ। କିନ୍ତୁ ରାହୁଲଙ୍କୁ ପୁଲିସ ଅଟକ ରଖିବା ସହ ଏକ ବସ୍‌ରେ ଉଠାଇ ନେଇଥିଲା। ଇତି ମଧ୍ୟରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପୁଲିସର ଅନୁମତି ମୁତାବକ ଆମେ ଆନ୍ଦୋଳନ କରୁଥିଲେ ମଧ୍ୟ ଏଥିରେ ବାଧା ଦିଆଯାଉଛି। ଆଜି ଯାହା ହେଉଛି ତାହା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ସବୁ ଷଡ଼୍‌ଯନ୍ତ୍ର ସତ୍ତ୍ବେ ଆମର ଲଢ଼େଇ ଜାରି ରହିବ ବୋଲି ଖଡ଼ଗେ କହିଛନ୍ତି। ଆସନ୍ତାକାଲି ମଧ୍ୟ ଦିଲ୍ଲୀରେ ଆନ୍ଦୋଳନ ପାଇଁ କଂଗ୍ରେସ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଯୁବ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସର ଦୁର୍ବ୍ୟବହାର
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା‌ ସୋନିଆ ଗାନ୍ଧିଙ୍କୁ ଇଡି ଜେରାକୁ ବିରୋଧ କରି ଆଜି ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ସ‌ମୟରେ ଜଣେ ଯୁବ କଂ‌ଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସ ଯେଉଁଭଳି ଦୁର୍ବ୍ୟବହାର କରିଛି ତା’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯୁବ କଂଗ୍ରେସର ଜାତୀୟ ସଭାପତି ବିଭି ଶ୍ରୀନିବାସଙ୍କୁ ଜଣେ ପୁଲିସ କର୍ମୀ ଚୁଟି ଧରି ଟାଣିବା ସହ ଏକ ଭ୍ୟାନ୍‌ ମଧ୍ୟକୁ ଘୋଷାଡ଼ି ନେଉଥିବା ଭିଡିଓ ଭାଇରାଲ୍‌ ହୋଇଛି। ପୁଲିସ ଦ୍ବାରା ଏଭଳି ଦୁର୍ବ୍ୟବହାରର ସମ୍ମୁଖୀନ ହେବାପରେ ଶ୍ରୀନିବାସ ପୁଲିସକୁ ପଚାରିଥିଲେ – ମତେ ଏଭଳି ବ୍ୟବହାର କାହିଁକି କରାଯାଉଛି ଏବଂ ମୋର ଦୋଷ କ’ଣ ? ଭିଡିଓ ଟ୍ବିଟ୍‌ କରି ଅନେକ କଂଗ୍ରେସ ନେତା ଦିଲ୍ଲୀ ପୁଲିସର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି। ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ କର୍ମଚାରୀଙ୍କୁ ଆମେ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ଉକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ ଏଥିପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର