କଂଗ୍ରେସ କାର୍ଯ୍ୟକାରିଣୀରେ ନିଷ୍ପତ୍ତି: ସୋନିଆ ରହିବେ ସଭାପତି

ନୂଆଦିଲ୍ଲୀ : ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ସତ୍ତ୍ବେ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ନେତୃତ୍ବ ଉପରେ ଭରସା ରଖିଛି। ସେ ହିଁ ଦଳକୁ ଦିଗ୍‌ଦର୍ଶନ ଦେଇପାରିବେ। ଦଳ କିପରି ମଜବୁତ ହୋଇପାରିବ ସେଥିପାଇଁ ସେ ଭବିଷ୍ୟତ କାର୍ଯ୍ୟପନ୍ଥା ମଧ୍ୟ ପ୍ରସ୍ତୁତ କରିବେ। ଏବେ ନେତା ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ। ସାଂଗଠନିକ ନିର୍ବାଚନ ପର୍ଯ୍ୟନ୍ତ ସୋନିଆ ହିଁ ସଭାନେତ୍ରୀ ‌‌ହୋଇରହିବେ।

ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଶୋଚନୀୟ ପରାଜୟର ସମୀକ୍ଷା ପାଇଁ ରବିବାର ଦିନ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ନେତୃତ୍ବ ପରିବର୍ତ୍ତନ ଦାବି ମଧ୍ୟରେ ହୋଇଥିବା ଏହି ବୈଠକରେ ସୋନିଆ ଗାନ୍ଧୀ କହିଥିଲେ ଯେ କାର୍ଯ୍ୟକାରିଣୀ ଚାହିଲେ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବୈଠ‌କରେ ଇସ୍ତଫା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ତାଙ୍କ ନେତୃତ୍ବ ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇଥିଲା। କେବଳ ସେତିକି ନୁହେଁ, ଦଳକୁ ମଜବୁତ କରିବା ଲାଗି ଆବଶ୍ୟକ ସାଂଗଠନିକ ପରିବର୍ତ୍ତନ ପାଇଁ ତାଙ୍କୁ କ୍ଷମତା ମଧ୍ୟ ଦିଆଯାଇଛି।

ଦଳର ଏହି ସର୍ବୋଚ୍ଚ ନୀତି ନିର୍ଧାରଣ କମିଟି ବୈଠ‌କରେ ୫୦ରୁ ଅଧିକ ସଭ୍ୟ ଉପସ୍ଥିତ ଥିଲେ। ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଏବଂ ମୁକୁଲ ୱାସନିକଙ୍କ ଭଳି ଅସନ୍ତୁଷ୍ଟ ‌ନେତା ମଧ୍ୟ ଉପସ୍ଥିତ ଥିଲେ। ଆଜାଦ ଏବଂ ଶର୍ମା ସେମାନଙ୍କର ମତାମତ ରଖିଥିଲେ। ଜି-୨୩ ନାମରେ ପରିଚିତ କଂଗ୍ରେସର ଏହି ଅସନ୍ତୁଷ୍ଟ ନେତାମାନେ ମୁକୁଲ ୱାସନିକଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହା ଗ୍ରହଣ ହୋଇ ନଥିଲା। ୨୦୦୦ ମସିହା ବେଳକୁ ସୋନିଆ ଯେଭଳି ଦଳକୁ ନେତୃତ୍ବ ଦେଉଥିଲେ ନୂଆ ସଭାପତି ଦଳକୁ ସେଭଳି ପରିଚାଳିତ କରିବା ଆବଶ୍ୟକତା ରହିଛି ବୋଲି ଏହି ନେତାମାନେ ମତ ଦେଇଥିବା ଜଣାଯାଇଛି। ସୋନିଆ କହିଥିଲେ ଯେ ଗାନ୍ଧୀ ପରିବାର ପାଇଁ କଂଗ୍ରେସ ଦଳ ଦୁର୍ବଳ ହେଉଛି ବୋଲି କିଛି ନେତା ଅନୁଭବ କରୁଛନ୍ତି। ଯଦି ଆପଣମାନେ ଏହି ମତ ସହ ଏକମତ ତାହେଲେ ଆମେ ଯେକୌଣସି ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ।
ସାଢ଼େ ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସ୍ଥିର କରାଯାଇଥିଲା ଯେ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସଂସଦ ଅଧିବେଶନ ପରେ ଚିନ୍ତନ ଶିବିରର ଆୟୋଜନ କରାଯିବ।

‌ବୈଠକରେ କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସୂର୍‌ଜେୱାଲା କହିଥିଲେ ଯେ ଦଳର ପ୍ରତ୍ୟେକ କର୍ମୀ ଚାହାନ୍ତି ରାହୁଲ କଂଗ୍ରେସର ନେତୃତ୍ବ ନିଅନ୍ତୁ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନ୍ୟ କେତେକ ନେତା ମଧ୍ୟ ରାହୁଲଙ୍କୁ ସଭାପତି ଦାୟିତ୍ବ ଗ୍ରହଣ କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଗେହଲଟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାହୁଲ ଯେଭଳି ସମାଲୋଚନା କରୁଛନ୍ତି ଅନ୍ୟ କେହି ତାହା କରି ପାରୁନାହାନ୍ତି। ପ୍ରଧାନମନ୍ତୀ ତାଙ୍କ ଭାଷଣ ଆରମ୍ଭରୁ ରାହୁଲଙ୍କୁ ଟାର୍ଗେଟ କରୁଛନ୍ତି। ଏହାର ଅର୍ଥ କ’ଣ ଆପଣମାନେ ବୁଝିପାରୁଥିବେ ବୋଲି ସେ କହିଥିଲେ। ପାଖାପାଖି ତିନି ଦଶନ୍ଧି ହେଲା ଗାନ୍ଧୀ ପରିବାରରୁ କେହି ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ହୋଇନାହାନ୍ତି। ତେଣୁ କଂଗ୍ରେସର ଏକତା ପାଇଁ ଗାନ୍ଧୀ ପରିବାରର ଗୁରୁତ୍ବ ଅନେକ ବୋଲି ‌ଗେହଲଟ ମତ ଦେଇଥିଲେ। ବୈଠରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା, ପି. ଚିଦମ୍ବରମ ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପୂର୍ବରୁ ଝାଡ଼ଖଣ୍ଡ କଂଗ୍ରେସ ପକ୍ଷରୁ ସୋନିଆ ଓ ରାହୁଲଙ୍କ ସମର୍ଥନରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ସିଡବ୍ଲ୍ୟୁସି ବୈଠକକୁ ୫୭ ଜଣ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ଏବଂ ଅନ୍ୟ ୩ ଜଣ ନେତା ସ୍ବାସ୍ଥ୍ୟଗତ କାରଣରୁ ବୈଠକରେ ଯୋଗ‌ଦେଇ ପାରିନାହାନ୍ତି। ଏକେ ଆଣ୍ଟୋନି ‌କରୋନାରେ ସଂକ୍ରମିତ ହୋଇଥିବାରୁ ସେ ବୈଠକକୁ ଆସିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ସଭାପତି ପଦରୁ ରାହୁଲ ଗାନ୍ଧୀ ଓହରି ଯାଇଥିଲେ। ଏହାପରଠାରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ଭାବେ ଦଳର ମଙ୍ଗ ସମ୍ଭାଳି ଆସୁଛନ୍ତି।

ସୂଚନାଯୋଗ୍ୟ ଯେ ୫ଟି ରାଜ୍ୟରେ ନିର୍ବାଚନରେ ପରାଜୟ ଲାଗି ଗାନ୍ଧୀ ପରିବାରକୁ କିଛି ଦଳୀୟ ନେତା ଦାୟୀ କରି ଆସୁଛନ୍ତି। ସେମାନଙ୍କର ଯୁକ୍ତି ‌‌ଯେ ରାହୁଲ ଦଳର ସଭାପତି ନଥିଲେ ମଧ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସେ ହିଁ ନେଉଛନ୍ତି। ଯାହାକି ଦଳକୁ ଅସୁବିଧାରେ ପକାଉଛି। ରାହୁଲ ଓ ପ୍ରିୟଙ୍କାଙ୍କ‌ ଯୋଗୁଁ ପାର୍ଟି ୟୁପି ଏବଂ ପଞ୍ଜାବରେ ହାରିଲା। ନିର୍ବାଚନ ଲାଗି ଦଳର ରଣନୀତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର