ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି କିଛିଦିନ ରାଜସ୍ଥାନର ଜୟପୁରରେ ରହିବାକୁ ଯାଉଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅସମ୍ଭାଳ ହୋଇଥିବାରୁ ଦୁଇମାସ ତଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୋନିଆଙ୍କୁ ସ୍ଥାନ ପରିବର୍ତ୍ତନ ପାଇଁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀରେ ବର୍ତ୍ତମାନ ବାୟୁ ମାନ ସୂଚକାଙ୍କ ୩୭୫ ରହିଛି, ଯାହା ‘ଗମ୍ଭୀର’ ବର୍ଗରେ ଯାଉଛି। କିନ୍ତୁ ରାଜସ୍ଥାନର ଜୟପୁରରେ ଏହି ସୂଚକାଙ୍କ ୭୨ ରହିଛି, ଯାହା ‘ମଧ୍ୟମ’ ବର୍ଗର ଅନ୍ତର୍ଭୁକ୍ତ।
ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକରେ ପ୍ରଚାର କାର୍ଯ୍ୟରେ ସାମିଲ ଥିବା ରାହୁଲ ଗାନ୍ଧି ମାଆଙ୍କୁ ଜୟପୁରରେ ଭେଟିବା ପରେ ଗତକାଲି ଛତିଶଗଡ଼ ଯିବେ ବୋଲି ଜଣାପଡ଼ିଛି। ତା’ପରେ ସେ ଗୁରୁବାର ପୁଣି ଜୟପୁର ଫେରି ସେଠାରେ ବିଭିନ୍ନ ନିର୍ବାଚନୀ ରାଲିରେ ଯୋଗ ଦେବେ। ଜ୍ବର ଓ ଶ୍ବାସନଳୀ ସଂକ୍ରମଣ ଆଦି କାରଣରୁ ଶ୍ରୀମତୀ ଗାନ୍ଧି ଗତ ସେପ୍ଟେମ୍ବର ମାସରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଜାନୁଆରି ମାସରେ ମଧ୍ୟ ଶ୍ବାସ ସମସ୍ୟା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।