‌ଦଳୀୟ ନେତାଙ୍କୁ ସୋନିଆଙ୍କ ତାଗିଦ: ଏକତା ଓ ଶୃଙ୍ଖଳା ବଜାୟ ରଖ

ବିଜେପି-ଆର୍‌ଏସ୍‌ଏସ୍‌ର ମିଥ୍ୟାକୁ ପର୍ଦ୍ଦାଫାସ କରିବାକୁ ହେବ

ନୂଆଦିଲ୍ଲୀ: ପଂଜାବ ସମେତ ଅନ୍ୟ କେତେକ ରାଜ୍ୟରେ କ‌ଂଗ୍ରେସ ଦଳରେ ଅନ୍ତଃକନ୍ଦଳ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ଦଳୀୟ ନେତାମାନଙ୍କୁ ତାଗିଦ କରିଦେଇଛନ୍ତି। ଦଳରେ ଶୃଙ୍ଖଳା ଏବଂ ଏକତା ବଜାୟର ରଖିବାର ସର୍ବାଧିକ ଆବଶ୍ୟକତା ରହିଛି। ବିଜେପି ଏବଂ ଆରଏସ୍‌ଏସ୍‌ ମିଥ୍ୟା ବିରୋଧରେ ଲଢ଼ିବାକୁ ହେଲେ ଏହା ଆବଶ୍ୟକ ବୋଲି କହିଛନ୍ତି। ଦଳର ସାଧାରଣ ସଂପାଦକ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅନ୍ୟ ନେତମାନଙ୍କୁ ସୋନିଆ ଉଦ୍‌ବୋଧନ ଦେଇ କହିଛନ୍ତି, ବିଜେପି ଓ ଆରଏସ୍‌ଏସ୍‌ର ଶଇତାନୀ ଅଭିଯାନ ବିରୋଧରେ ଆମେ ଆଦର୍ଶଗତ ଭାବେ ଲଢ଼ିବା ଉଚିତ। ଦୃଢ଼ ପ୍ରତ୍ୟୟ ସହିତ ଆମକୁ ଏହା କରିବାକୁ ହେବ। ଏହି ଲଢ଼େଇରେ ଜିତିବାକୁ ହେଲେ ବିଜେପି ଓ ଆରଏସଏସର ମିଛକୁ ପଦାରେ ପକାଇବାକୁ ହେବ।

ଏଥିସହିତ ସେ ଦଳୀୟ ନେତାମାନଙ୍କୁ କହିଛନ୍ତି, ଦେଶ ସାମ୍ନା କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଏଆଇସିସି ପକ୍ଷରୁ ପ୍ରତିଦିନ ଗୁରୁତ୍ବପୂର୍ଣ୍ଣ ଏବଂ ବିସ୍ତୃତ ବିବୃତି ଜାରି କରାଯାଉଛି। କିନ୍ତୁ ସେସବୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ତୃଣମୂଳ ନେତାଙ୍କ ନିକଟରେ ପହଞ୍ଚୁ ନଥିବା ସେ ଅନୁଭବ କରୁଛନ୍ତି। ଏପରିକି ବିଭିନ୍ନ ନୀତି ଉପରେ ରାଜ୍ୟସ୍ତରୀୟ ନେତାଙ୍କ ନିକଟରେ ମଧ୍ୟ ସ୍ପଷ୍ଟତା ଏବଂ ଏକତା ରହୁନାହିଁ ବୋଲି ସୋନିଆ କହିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଦ୍ରୋହ ଏବଂ ଅନ୍ତଃକନ୍ଦଳ ଦେଇ ଗତି କରୁଥିବାବେଳେ ସେ ଦଳରେ ଶୃଙ୍ଖଳା ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ଦଳକୁ ମଜଭୁତ କରିବା ଆମ ସମସ୍ତଙ୍କର ଦାୟିତ୍ବ। ବ୍ୟକ୍ତିଗତ ଅଭିଳାଷରୁ ଉପରକୁ ଉଠି ଶୃଙ୍ଖଳା ଏବଂ ଏକତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ଉଚିତ। ଏଥିରେ ଉଭୟ ବ୍ୟକ୍ତିଗତ ଓ ସାମୂହିକ ସଫଳତା ରହିଛି ବୋଲି ସୋନିଆ କହିଛନ୍ତି। ଦେଶର ପ୍ରତିଷ୍ଠାନଗୁଡ଼ିକୁ ମୋଦୀ ସରକାର ନଷ୍ଟ କରିଦେବାକୁ ବସିଥିବାରୁ ଏ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଆବଶ୍ୟକ ବୋଲି ସୋନିଆ କହିଛନ୍ତି।

ସମ୍ବନ୍ଧିତ ଖବର