ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ଓ ହିଂସା ତୀବ୍ର ହେଉଥିବା ବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଆନ୍ଦୋଳନକାରୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ସେନାରେ ଯୋଗ ଦେବାପାଇଁ ଆଶାୟୀ ଥିବା ଛାତ୍ରଙ୍କୁ ଚିଠି ଲେଖି ସୋନିଆ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ଅନୁରୋଧ କରିଛନ୍ତି। ସୋନିଆ କହିଛନ୍ତି, ଯେଉଁମାନେ ନୂଆ ଯୋଜନା ବିରୋଧରେ ଆନ୍ଦୋଳନ କରୁଛନ୍ତି କଂଗ୍ରେସ ଦଳ ସେମାନଙ୍କ ସହ ରହିଛି। କିନ୍ତୁ ମୁଁ ଦୁଃଖିତ ଯେ ସେମାନଙ୍କ ସ୍ବର ଶୁଣିପାରୁନାହାନ୍ତି। ସରକାର ସମ୍ପୂର୍ଣ୍ଣଭାବେ ଏକ ଦିଶାହୀନ ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି। ଅନେକ ପୂର୍ବତନ ଯବାନ ମଧ୍ୟ ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
କୃଷି ଆଇନ ପରି ପ୍ରଧାନମନ୍ତ୍ରୀଙ୍କୁ ‘ଅଗ୍ନିପଥ’ ଯୋଜନା ହଟାଇବାକୁ ପଡ଼ିବ: ରାହୁଲ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ‘ଅଗ୍ନିପଥ’ ଯୋଜନା ହଟାଇବାକୁ ବାଧ୍ୟ ହେବେ। କୃଷି ଆଇନ ଯେଭଳି ଉଚ୍ଛେଦ ହେଲା ଠିକ୍ ସେମିତି ‘ଅଗ୍ନିପଥ’ ଯୋଜନା ବି ହଟିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଦେଶର ଯୁବଗୋଷ୍ଠୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ଗତବର୍ଷ ୩ କୃଷି ଆଇନ ଉଚ୍ଛେଦ ସମୟରେ ପ୍ରଧାନମନ୍ତ୍ରୀ କୃଷକଙ୍କୁ କ୍ଷମା ମାଗିଥିଲେ। ଏହାପରେ ଦ୍ବିତୀୟ ଥର ପାଇଁ ସେ ପୁଣିଥରେ ଦେଶର ଯୁବଗୋଷ୍ଠୀଙ୍କୁ କ୍ଷମା ମାଗିବେ। ଲଗାତାର ୮ ବର୍ଷ ଧରି ବିଜେପି ସରକାର ‘ ଜୟ ଯବାନ, ଜୟ କିଷାନ’ ମୂଲ୍ୟବୋଧକୁ ଅପମାନିତ କରିଆସିଛି ବୋଲି ରାହୁଲ କହିଛନ୍ତି।