ମହିଳାଙ୍କ ଅଜବ ପ୍ରଶ୍ନର ଉତ୍ତର ରଖିଲେ ସୋନୁ

ମୁମ୍ବାଇ: ଅଭିନେତା ସୋନୁ ସୁଦ୍‌ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଏନେଇ ତାଙ୍କ ନିକଟକୁ ଶ୍ରମିକ ଓ ଫସି ରହିଥିବା ଛାତ୍ରଛାତ୍ରୀମାନେ ଟୋଲ-ଫ୍ରି ନମ୍ବର‌ କିମ୍ବା ସୋସିଆଲ ମିଡିଆରେ ଯୋଗାଯୋଗ କରିବା ପରେ ସୋନୁ ସେମାନଙ୍କୁ ସହଯୋଗ କରୁଛନ୍ତି। ତେବେ ନିକଟରେ ସୁଶ୍ରିମା ଆଚାର୍ଯ୍ୟ ନାମକ ଜଣେ ମହିଳା ତାଙ୍କ ନିକଟକୁ କଲ୍‌ କରି ଏକ ଅଜବ ସହାୟତା ମାଗିଛନ୍ତି। ସୁଶ୍ରିମା ସୋନୁଙ୍କୁ ଅନୁରୋଧ କରି କହିଥିଲେ, ଦୁଇମାସରୁ ଅଧିକ ହେଲା ସେ ନିଜ ସ୍ବାମୀଙ୍କ ସହ କ୍ବାରାଣ୍ଟିନରେ ରହି ବିରକ୍ତ ହୋଇଗଲେଣି। ଆଉ ସେ ଅଧିକ ସମୟ ତାଙ୍କ ସହ ରହିପାରିବେ ନାହିଁ। ତେଣୁ ତାଙ୍କ ସ୍ବାମୀଙ୍କୁ ନଚେତ ତାଙ୍କୁ ତାଙ୍କ ମା’ଙ୍କ ଘରକୁ ନେଇଯିବାକୁ ସେ ସୋନୁଙ୍କୁ ଟ୍ବିଟ୍‌ କରି ଅନୁରୋଧ କରିଥିଲେ। ସୋନୁ ଏହାର ମଜାଳିଆ ଜବାବ ରଖି କହିଥିଲେ, ମୋ ପାଖରେ ଗୋଟେ ଭଲ ଉପାୟ ଅଛି। ତୁମ ଦୁହିଁଙ୍କୁ ମୁଁ ଗୋଆ ପଠେଇ ଦେଉଛି। କ’ଣ କହୁଛ?

ସୋନୁ ହଜାର ହଜାର ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବାରେ ଏହି କରୋନା ମହାମାରୀ ବେଳେ ପ୍ରମୁଖ ଭୂମିକା ନିଭାଇ ଆସୁଛନ୍ତି। ଏବେ ସୋନୁ ବାସ୍ତବ ଜୀବନରେ ନାୟକ ସାଜିଛନ୍ତି। ତେବେ ଏଭଳି ସ୍ଥିତି‌ରେ ମଧ୍ୟ ତାଙ୍କୁ ନିରୁତ୍ସାହିତ କରିବା ଭଳି ବାର୍ତାମାନ ଆସୁଛି। କିଏ ତାଙ୍କୁ ମଦ ପାଇଁ ତ କିଏ ପାର୍ଲର ଯିବାକୁ ଅନୁରୋଧ କରୁଛି। ଏହାର ମଧ୍ୟ ସୋନୁ ଜବାବ ରଖୁଛନ୍ତି। ସବୁଠୁ ବଡ଼ କଥା ହେଲା, ଜଣେ ଗର୍ଭବତୀ ସୋନୁଙ୍କ ସହାୟତାରେ ତାଙ୍କ ଗ୍ରାମରେ ପହଞ୍ଚିବା ପରେ ନିଜ ଜନ୍ମିତ ସନ୍ତାନର ନାମ ସୋନୁ ସୁଦ୍‌ ରଖିଛନ୍ତି। ସୋନୁ ଯେବେ ପ୍ରବାସୀ ଶ୍ରମିକଙ୍କୁ ଫେରିବା ବେଳେ ସଂଘର୍ଷ କରୁଥିବା ଦେଖିଥିଲେ, ଏହା ତାଙ୍କୁ ଆନ୍ଦୋଳିତ କରିଥିଲା। ଯେପର୍ଯ୍ୟନ୍ତ ଶେଷ ପ୍ରବାସୀ ଶ୍ରମିକଟିଏ ଘରେ ନପହଞ୍ଚିଛି ସେ କାମ କରିଚାଲିବେ ବୋଲି ନିକଟରେ କହିଥିଲେ।

ସମ୍ବନ୍ଧିତ ଖବର