ନୂଆଦିଲ୍ଲୀ: ୩ ମାସ ହେଲାଣି ମୁଁ ବହୁତ କଷ୍ଟ ପାଇଲିଣି…ମୋ ମେରୁଦଣ୍ଡ ଭାଙ୍ଗିଯାଇଛି… ମୋତେ ସାହାଯ୍ୟ କରିବାକୁ କେହି ବି ନାହାନ୍ତି…ଚିକିତ୍ସା କରିବା ପାଇଁ ମୁଁ ଏତେ ଟଙ୍କା ଆଣିବି କେଉଁଠୁ…ମୁଁ ମୋ ଗୋଡରେ ଛିଡା ହେବାକୁ ଚାହୁଁଛି, ମୋତେ ସାହା ହୁଅ ସରକାର । ମୁଖ୍ୟମନ୍ତ୍ରୀ..ମୋ ଗୁହାରି ଶୁଣନ୍ତୁ, ଆଉ ମୋତେ ସାହାଯ୍ୟ କରନ୍ତୁ । କିଛି ଏଭଳି କହି ଅଗଷ୍ଟ ୨ରେ ଭିଡିଓ ଅପଲୋଡ କରିବା ସହ ସାହାଯ୍ୟ ମାଗିଥିଲେ ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲାର ପ୍ରତିଭା ପଟେଲ | ହେଲେ ଭିଡିଓ ଅପଲୋଡ ହେବାର ୨ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟର ହାତ ବଢାଇନଥିବା ଜଣାପଡିଛି | ଅନ୍ୟ ପକ୍ଷରେ, ଏବେ ଭିଡିଓଟିକୁ ଦେଖି ପ୍ରତିଭାଙ୍କ ଅସ୍ତ୍ରୋପଚାର କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରମିକଙ୍କ ଭଗବାନ ତଥା ବଲିଉଡ ଅଭିନେତା ସୋନୁ ସୁଦ୍ |
ଏ କାହାଣୀ ହେଉଛି ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲାର ପ୍ରତିଭା ପଟେଲଙ୍କର । ଏକ ସଡକ ଦୁର୍ଘଟଣାରେ ତାଙ୍କ ଗୋଡ ଭାଙ୍ଗିଯାଇଥିଲା, ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଆଉ ମେରୁଦଣ୍ଡ ବି ଭାଙ୍ଗିଯାଇଥିଲା । ପାଖରେ ଯେତିକି ଟଙ୍କା ଥିଲା ସେତିକିରେ କେବଳ ଗୋଡର ଅପରେସନ ହିଁ ହୋଇପାରିଲା । ଏବେ ପାଖରେ ଟଙ୍କା ନଥିବାରୁ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ଏମିତି ଖଟ ଉପରେ ପଡିରହିଛନ୍ତି ଅସହାୟ ପ୍ରତିଭା ।
आप को स्वस्थ करने का मेरा वादा।
सर्जरी होगी 25th Oct को।@ilaajindia@drashwa47867629#virkhospitalhttps://t.co/BRti6ejjXU
— sonu sood (@SonuSood) October 18, 2020
ମା' ଆରପାରିକୁ ଚାଲିଯିବା ପରେ ଦ୍ୱିତୀୟ ବିବାହ କରି ଝିଅକୁ ପର କରିଦେଇଛନ୍ତି ବାପା । ନିଜର ବୋଲି କେହି ନଥିବାରୁ ଗତ ଅଗଷ୍ଟ ୨ ତାରିଖରେ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଉପଦେଷ୍ଟା ଏବଂ ଜିଲ୍ଲାପାଳଙ୍କୁ ଟ୍ୱିଟ୍ ଜରିଆରେ ସାହାଯ୍ୟ ମାଗିଥିଲେ ପ୍ରତିଭା ପଟେଲ । କିନ୍ତୁ ଦୁଃଖର ବିଷୟ ହେଉଛି ନା ସରକାର ପ୍ରତିଭାଙ୍କୁ ସାହାଯ୍ୟ କଲେ ନା ଜିଲ୍ଲାପାଳ କଷ୍ଟ ଶୁଣିଲେ ।
ଶେଷରେ ସାହାଯ୍ୟ ପାଇଁ ଆଗେଇ ଆସିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ। ପ୍ରତିଭାଙ୍କ କଷ୍ଟ ବିଷୟରେ ଜାଣିବା ପରେ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଆଗେଇ ଆସିଛନ୍ତି ସୋନୁ। ଅସହାୟ ପ୍ରତିଭାଙ୍କୁ ସୁସ୍ଥ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରତିଭାଙ୍କର ଅପରେସନ୍ ହେବ, ଆଉ ଅପରେସନର ସମସ୍ତ ଖର୍ଚ୍ଚ ବହନ କରିବେ ହୃଦୟର ହିରୋ ସୋନୁ ସୁଦ୍ ।
ସୋନୁ ସୁଦଙ୍କ ଏଭଳି ମହାନତା ପାଇଁ ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ପରଦା ଉପରର ଏହି ଖଳନାୟକ ଆଜି ଅସଲ ଜୀବନରେ ପାଲଟି ଯାଇଛନ୍ତି ହିରୋ । ଯିଏବି ସୋନୁଙ୍କ କାହାଣୀ ଶୁଣୁଛି, ସିଏ କହୁଛି ସଲାମ୍ ସୋନୁ ।