ମୁମ୍ବାଇ: ପ୍ରତିଟି ଭାରତୀୟଙ୍କ ହୃଦୟ ଭିତରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁ ଏକ ଘରଟିଏ କରିସାରିଛି । ଅସହାୟଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ଗୁହାରି କରୁଛି, ଦେବଦୂତ ସାଜି ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଅସହାୟଙ୍କ ଭଗବାନ । ଆଜି କୋଟି କୋଟି ଭାରତୀୟଙ୍କ ଭରସା ସାଜିଛନ୍ତି ସୋନୁ ସୁଦ୍ ।
ପ୍ରବାସୀଙ୍କ ଘରେ ପହଞ୍ଚାଇବା ସହ ପ୍ରବାସୀଙ୍କୁ ଘର ଚଳାଇବା ପାଇଁ ଚାକିରି ସୁବିଧା ଯୋଗାଇ ଦେଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ ।ହଜାର ହଜାର ଚାକିରି ଦେବା ପରେ ଏବେ ମୁଣ୍ଡ ଗୁଞ୍ଜିବାକୁ ଘର ଦେବେ ସୋନୁ । ପ୍ରବାସୀ ରୋଜଗାର ମିଶନ ମାଧ୍ୟମରେ ହଜାର ହଜାର ଶ୍ରମିକଙ୍କୁ ଚାକିରି ଦେଇଛନ୍ତି ସୋନୁ । ଆଉ ଏବେ ପ୍ରବାସୀଙ୍କ ପାଇଁ ପୁଣି ଆଣିଛନ୍ତି ଆଉ ଏକ ବଡ ଉପହାର । ଅସହାୟ ପ୍ରବାସୀ ଭାଇଭଉଣୀଙ୍କୁ ଏବେ ଘର ଯୋଗାଇ ଦେବେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ । ୨୦,୦୦୦ ଘର କରିଦେବା ନେଇ ଟ୍ୱିଟ୍ କରି ପ୍ରତିଶ୍ରୁତି ଦେଇଛନ୍ତି ସୋନୁ । ସେ ଲେଖିଛନ୍ତି, ମୁଁ ବର୍ତ୍ତମାନ ୨୦,୦୦୦ପ୍ରବାସୀ ଶ୍ରମିକଙ୍କ ପାଇଁ ଆବାସ ପ୍ରଦାନ କରିବାକୁ ଯାଉଛି, ଯେଉଁମାନଙ୍କୁ ନୋଏଡାରେ ପ୍ରବାସୀ ରୋଜଗାର ମାଧ୍ୟମରେ ପୋଷାକ ୟୁନିଟରେ ଚାକିରି ଯୋଗାଇ ଦିଆଯାଇଥିଲା। ”

କରୋନା ମୁକାବିଲା ପାଇଁ ଯେତେବେଳେ ସାରା ଦେଶରେ ସରକାର ଲକଡାଉନ୍ ଘୋଷଣା କଲେ, ସେତେବେଳେ ମାସ ମାସ ଧରି ଦେଶର କୋଣ ଅନୁକୋଣରେ ଫସିରହିଥିଲେ ଲକ୍ଷ ଲକ୍ଷ ଶ୍ରମିକ । ପାଖରେ ସଂଚିତ ଥିବା ଟଙ୍କା ସରିଯିବା ପରେ ଯେତେବେଳେ ଭୋକ ଓପାସରେ ଦିନ କାଟୁଥିଲା, ଠିକ୍ ସେତିକି ବେଳେ ବିପଦ ବେଳର ବନ୍ଧୁ ସାଜି ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଅଭିନେତା ସୋନୁ ସୁଦ୍ । ମହାମାରୀ ମୁକାବିଲା ମଧ୍ୟରେ ଫଶିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିଥିଲେ ।