ନୂଆଦିଲ୍ଲୀ: ବିମାନ ଉଡ଼ାଣ ବିଳମ୍ବ କିଂବା ବାତିଲ୍ ଭଳି ଏୟାର୍ ଲାଇନ୍ ସର୍ଭିସ୍ ବିଭ୍ରାଟ ଦେଖା ଦେଲେ ବର୍ଦ୍ଧିତ ଅନୁକମ୍ପା ଭାବେ ପ୍ରତ୍ୟେକ ଯାତ୍ରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ପ୍ରସ୍ତାବକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ କରିଛି।
ଖୁବ୍ ଶୀଘ୍ର ମନ୍ତ୍ରାଳୟ ଏହି ପ୍ରସ୍ତାବ ଥାଇ ପାସେଞ୍ଜର୍ ଚାର୍ଟର୍ର ଏକ ଡ୍ରାଫ୍ଟ୍ ଅନ୍ଲାଇନ୍ରେ ପୋଷ୍ଟ୍ କରିବ। ଚୂଡ଼ାନ୍ତ ନୀତିନିୟମ ଜାରି କରାଯିବା ପୂର୍ବରୁ ଏହି ପ୍ରସ୍ତାବ ଉପରେ ଏୟାର୍ ଲାଇନ୍ସ୍ ଏବଂ ସର୍ବସାଧାରଣଙ୍କ ମତାମତ ଆଶା କରୁଛି ମନ୍ତ୍ରାଳୟ।
ବିଶ୍ୱ ତୁଳନାରେ ଭାରତରେ ଥିବା ଘରୋଇ ବିମାନ ମାସୁଲ ସର୍ବନିମ୍ନ ହୋଇଥିବାରୁ ଏୟାର୍ଲାଇନ୍ଗୁଡ଼ିକ ଏ ପ୍ରସ୍ତାବର ବିରୋଧ କରୁଛନ୍ତି। ଏମିତି ହେଲେ ଯାତ୍ରା ମାସୁଲ ବଢ଼ିବ ବୋଲି ଚେତାଇ ଦେବା ସହ ସେମାନେ ଯାତ୍ରୀମାନଙ୍କ ଉପରେ ପାସ୍ ଅନ୍ କଷ୍ଟ୍ ଲାଗୁ କରିବାକୁ ବାଧ୍ୟ ହେବେ।
ଏୟାର୍ଲାଇନ୍ଗୁଡ଼ିକ ପଠାଯାଇଥିବା ପ୍ରସ୍ତାବିତ ଜରିମାନା ଥିବା ଡ୍ରାଫ୍ଟ୍ରେ କୁହାଯାଇଛି କି, ଉଡ଼ାଣରେ ଦୀର୍ଘ ସମୟ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ଟିକିଟ୍ ଅର୍ଥ ପୂରା ଫେରସ୍ତ ଦିଆଯିବ ବା ମାଗଣାରେ ହୋଟେଲ୍ରେ ରଖାଇବାର ବ୍ୟବସ୍ଥା କରାଯିବ। ଦୁଇ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଯିବାକୁ ଅନୁମତି ମିଳିବ।
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏୟାର୍ଲାଇନ୍ସ୍ ନିକଟରେ ମନ୍ତ୍ରାଳୟ ଲେଖିଛି କି, ଆମ ମତରେ ଏବେ ଯେଉଁ ନୀତିନିୟମ ଓ ଅନୁକମ୍ପା ରାଶି ରହିଛି ତାହା ଯାତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ଯଥେଷ୍ଟ।
ଏହାକୁ ଅଧିକ କଠୋର କରିବା କିଂବା ଅନୁକମ୍ପା ଅର୍ଥରାଶି ସ୍ତର ବଢ଼ାଇବା କେବଳ ଯାତ୍ରା ମାସୁଲ ବଢ଼ାଇବା ପାଇଁ ବାଟ କଢ଼ାଇବ।
ଉଭୟ ଏୟାର୍ଲାଇନ୍ ଏବଂ ଯାତ୍ରୀମାନଙ୍କ ସ୍ୱାର୍ଥର ସମନ୍ଵୟ ରକ୍ଷା କରି ନିଷ୍ପତ୍ତି ନିଆଯିବ ବୋଲି ସରକାର ଚିନ୍ତା କରୁଛନ୍ତି।