ପଳାତକ ବିଜୟ ମାଲ୍ୟା ଓ ଅନ୍ୟ କୋଟିପତି ବ୍ୟବସାୟୀଙ୍କ ପାଇଁ ଆର୍ଥର ରୋଡ୍‌ ଜେଲରେ ଏବେ ୟୁରୋପୀୟ ଢ଼ାଞ୍ଚାରେ ନିର୍ମିତ ହେଉଛି ସ୍ୱତନ୍ତ୍ର କାରାଗୃହ

ମୁମ୍ବାଇ: ମୁମ୍ବାଇର କେନ୍ଦ୍ର ସ୍ଥଳରେ ଥିବା ୯୩ ବର୍ଷ ପୁରୁଣା ଆର୍ଥର ରୋଡ୍‌ ଜେଲରେ ଏବେ ୟୁରୋପୀୟ ଢ଼ାଞ୍ଚାରେ କିଛି ସ୍ୱତନ୍ତ୍ର କାରାଗୃହ (ସେଲ୍‌) ନିର୍ମାଣ ପାଇଁ ଏବେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆର୍ଥର ରୋଡ୍‌ ଜେଲରେ ପରିସରରେ ୟୁରୋପୀୟ ଢ଼ାଞ୍ଚାରେ ନିର୍ମିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାରାଗୃହଗୁଡ଼ିକ ଅନ୍ତର୍ଜାତିକ ସ୍ତର ଓ ଅନ୍ତର୍ଜାତିକ ମାନବିକ ଅଧିକାରର ମାପଦଣ୍ଡ ଆଧାରରେ ନିର୍ମିତ ହେଉଥିବା ଜାଣିବାକୁ ମିଳିଛି। ଆର୍ଥର ରୋଡ୍‌ ଜେଲରେ ଥିବା ଏକ ପୁରାତନ ଦୁଇ ମହଲା ବିଶିଷ୍ଟ ସେଲର ନବୀକରଣ କରାଯିବା ସହ ସେଠାରେ ୟୁରୋପୀୟ ଢ଼ାଞ୍ଚାର ଏହି ନୂତନ ସେଲ୍‌ଗୁଡ଼ିକ ନିର୍ମାଣ କରାଯିବ। ନୂତନ ସେଲ୍‌ରେ କଏଦୀମାନଙ୍କ ପାଇଁ ୟୁରୋପୀୟ ଢ଼ାଞ୍ଚାର ଶୌଚାଳୟ ଠାରୁ ଆରମ୍ଭ କରି ସଂପୃକ୍ତ ସେଲ୍‌ ମଧ୍ୟକୁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ଓ ବାୟୁ ଚଳପ୍ରଚଳର ବ୍ୟବସ୍ଥା ରହିବ।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦେଶର ଏକାଧିକ ବ୍ୟାଙ୍କ୍‌ରୁ ହଜାର ହଜାର ଟଙ୍କା ହଡ଼ପ କରିନେଇ କୋଟିପତି ବ୍ୟବସାୟୀ ବିଜୟ ମାଲ୍ୟା ଏବେ ଦେଶଛାଡ଼ି ପଳାତକ ସାଜି ବ୍ରିଟେନ୍‌ରେ ଆତ୍ମଗୋପନ କରିଛନ୍ତି। ଏବେ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ମାମଲା ବ୍ରଟେନ୍‌ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ମାଲ୍ୟା ଭାରତୀୟ ଜେଲର କରୁଣ ଅବସ୍ଥାର ଦ୍ୱାହି ଦେଇ ଭାରତକୁ ତାଙ୍କର ପ୍ରତ୍ୟାର୍ପଣ ଟାଳି ଚାଲିଛନ୍ତି। ଏବେ ଏହି ତାଲିକା ଆଉ କେବଳ ମାତ୍ର ବିଜୟ ମାଲ୍ୟାଙ୍କ ନିକଟରେ ସୀମିତ ହୋଇ ରହିନାହିଁ। ଏହି ତାଲିକରେ ଏବେ ନିରବ ମୋଦୀଙ୍କ ଠାରୁ ଆରମ୍ଭ କରି ମେହୁଲ୍‌ ଚୋକସୀଙ୍କ ପର୍ଯ୍ୟନ୍ତ ବହୁ କୋଟିପତି ବ୍ୟବସାୟୀ। ଯେଉଁମାନେ କି ଦେଶର ଏକାଧିକ ବ୍ୟାଙ୍କ୍‌ରୁ ହଜାର ହଜାର ଟଙ୍କା ହଡ଼ପ କରିନେଇ ଏବେ ଦେଶଛାଡ଼ି ପଳାତକ ସାଜି ବିଦେଶରେ ଆତ୍ମଗୋପନ କରିଛନ୍ତି। କାଳେ, ସେମାନେ ମଧ୍ୟ ବିଜୟ ମାଲ୍ୟାଙ୍କ ରାସ୍ତା ଆପଣାଇ ଭାରତୀୟ ଜେଲର କରୁଣ ଅବସ୍ଥାର ଦ୍ୱାହି ଦେଇ ଭାରତକୁ ସେମାନଙ୍କର ପ୍ରତ୍ୟାର୍ପଣ ଟାଳି ଦେବେ, ସେଇ ଆଶଙ୍କାରେ ଏବେ ଆର୍ଥର ରୋଡ୍‌ ଜେଲରେ ଏବେ ୟୁରୋପୀୟ ଢ଼ାଞ୍ଚାରେ କିଛି ସ୍ୱତନ୍ତ୍ର କାରାଗୃହ ଅନ୍ତର୍ଜାତିକ ସ୍ତର ଓ ଅନ୍ତର୍ଜାତିକ ମାନବିକ ଅଧିକାରର ମାପଦଣ୍ଡ ଆଧାରରେ ନିର୍ମିତ ହେଉଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର