ଭୁବନେଶ୍ବର: ଖୁବ୍ଶୀଘ୍ର ରାଜ୍ୟ ବିହନ ନିଗମ ବିକ୍ରି କରିବ ଭିଟାମିନ୍ଯୁକ୍ତ ଚାଉଳ (ବାୟୋ ଫୋର୍ଟିଫାଏଡ୍ ରାଇସ)ର ବିହନ। ଆନ୍ତର୍ଜାତୀୟ ଚାଉଳ ଗବେଷଣା କେନ୍ଦ୍ର ଓଡ଼ିଶା, ଜାତୀୟ ଚାଉଳ ଗବେଷଣା କେନ୍ଦ୍ର ସହିତ ରାଜ୍ୟ ବାହାରର ବିଭିନ୍ନ ଗବେଷଣା କେନ୍ଦ୍ର ସହାୟତାରେ ଇତିମଧ୍ୟରେ ୧୦ରୁ ଅଧିକ ଭିଟାମିନଯୁକ୍ତ ଚାଉଳର ବିହନ ବିକାଶିତ କରାଯାଇଛି। ବର୍ତ୍ତମାନ ୩୦ଟି ଯାକ ଜିଲ୍ଲାରେ ଏହାର ପରୀକ୍ଷଣ ଜାରି ରହିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପରେ ରାଜ୍ୟ ବିହନ ନିଗମ ଏସବୁକୁ ବିକ୍ରି କରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ଅପପୁଷ୍ଟିର ମୁକାବିଲା ପାଇଁ ୨୦୨୦ ମସିହାରୁ ସରକାର ପର୍ଯ୍ୟାୟ କ୍ରମରେ ଜିଙ୍କ୍, ଆଇରନ ଏବଂ ପ୍ରୋଟିନ୍ଯୁକ୍ତ ଭିଟାମିନ ଚାଉଳ ପିଡିଏସ୍ରେ ପ୍ରଦାନ କରୁଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭିଟାମିନ୍ ଯୁକ୍ତ ସ୍ବତନ୍ତ୍ର ବିହନରୁ ଧାନ ଚାଷ କରାଯାଇ ଚାଉଳ ଉତ୍ପାଦିତ ହେଉନଥିଲା। ବରଂ ସାଧାରଣ ବିହନର ଧାନରୁ ଚାଉଳ ଉତ୍ପାଦନ କରାଯାଇ ଏଥିରେ ଭିଟାମିନ୍ ମିଶ୍ରଣ କରାଯାଉଥିଲା। ଏଥିଯୋଗୁଁ ଏହି ଭିଟାମିନ୍ ଚାଉଳର ରଙ୍ଗ କଳା ହୋଇଥାଏ। ଏହାକୁ ନେଇ ଖାଉଟି ବିଭିନ୍ନ ସମୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ଯୋଗାଣ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା।
ଏବେ ମିଳିଥିବା ସୂଚନା ଅନୁସାରେ, ଭିଟାମିନ୍ଯୁକ୍ତ ଧାନ ବିହନର ବିକଶିତ କରାଯାଇଛି। ଏଥିରେ ୧୨୦ ଦିନିଆ ଡିଆର୍ଆର୍-୪୯, ବିଆର୍ଆର୍ଆଇ-୧୦୦, ବିଆର୍ଆର୍ଆଇ-୮୪, ସ୍ବର୍ଣ୍ଣ ସମୃଦ୍ଧି ଆଦି ରହିଛି। ଏହି ବିହନଗୁଡ଼ିକ ୧୨୦ ଦିନିଆ। ଏକମାତ୍ର ସ୍ବର୍ଣ୍ଣ ସମୃଦ୍ଧି ବିହନ ମରୁଡ଼ି ସହଣୀ ଅଟେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଏହାକୁ ବିହନ ଚେନ୍ରେ ସାମିଲ କରିସାରିଲେଣି। ଇରି (ଆନ୍ତର୍ଜାତିକ ଚାଉଳ ଗବେଷଣା କେନ୍ଦ୍ର)ର ସୂଚନା ଅନୁସାରେ, ୨୦୧୪ ମସିହାରୁ ସେମାନଙ୍କ ଗବେଷଣା ଅନୁଷ୍ଠାନ ପକ୍ଷରୁ ଭିଟାମିନ୍ ଧାନ ବିହନ ବିକଶିତ କରାଯାଇଛି।