ନୂଆଦିଲ୍ଲୀ : ଆସନ୍ତା ସୋମବାର ଅର୍ଥାତ ଫେବ୍ରୁଆରି ୧ରୁ ସାରା ଦେଶରେ ଥିବା ସିନେମା ହଲ ଗୁଡ଼ିକ ୧୦୦ ପ୍ରତିଶତ କ୍ଷମତାରେ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏଥିଲାଗି ଆଦି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ ଜାବଡ଼େକର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଚଳଚ୍ଚିତ୍ର ଶିଳ୍ପ ପକ୍ଷରୁ ସ୍ବାଗତ କରାଯାଇଛି । ଗତ ବର୍ଷ ଅକ୍ଟୋବରରେ ସିନେମାହଲ ଗୁଡ଼ିକୁ ଅଧା ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଥିଲା ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି :
୧. ଥିଏଟର ବାହାରେ, ଲବି ଓ ଜନଗହଳି ରହୁଥିବା ସ୍ଥାନରେ ସାମାଜିକ ଦୂରତ୍ବ ପାଳନ କରାଯିବ । ଲୋକମାନଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତ୍ବ ରହିବ ।
୨. ସିନେମାର ମଧ୍ୟାନ୍ତର ବା ଇଣ୍ଟରଭାଲକୁ ଟିକିଏ ଲମ୍ବା କରାଯିବ । ଯଦ୍ବାରା ଲୋକମାନେ ସାମାଜିକ ଦୂରତ୍ବ ପାଳନ କରି ସିଟ ପାଖରେ ପହଞ୍ଚିପାରିବେ ।
୩. ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।
୪. ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ ।
୫. ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ । ପାର୍କିଂ ସ୍ଥାନରେ ଯେପରି ଅଧିକ ଗହଳି ନ ହୁଏ, ସେ ଦିଗରେ ପଦକ୍ଷେପ ନିଆଯିବ ।
୬. ଅନଲାଇନ ବୁକିଂକୁ ପ୍ରେତ୍ସାହିତ କରାଯିବ ।
୭.ପ୍ରବେଶ ବେଳ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ ।