ସୋପିଆନ ଏନ୍‌କାଉଣ୍ଟର, ଜୈସ କମାଣ୍ଡର ନିପାତ

ଆଇଡି ତିଆରି କରିବାରେ ସ୍ବତନ୍ତ୍ର ଦଖଲ ଥିଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ପାକିସ୍ତାନୀ ଜୈସ କମାଣ୍ଡର ମୁନ୍ନା ଲାହୋରି ସୁରକ୍ଷାବାହିନୀ ଗୁଳିରେ ନିହତ ହୋଇଛି। ସେ କଶ୍ମୀରରେ ଅନେକ ନାଗରିକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଲାହୋରିର ସ୍ଥାନୀୟ ସହଯୋଗୀ ମଧ୍ୟ ସୁରକ୍ଷାକର୍ମୀ ଗୁଳିରେ ନିହତ ହୋଇଛି। ତାକୁ ଜିନାତୁଲ ଇସଲାମ୍‌ ବୋଲି ଚିହ୍ନଟ କରାଯାଇଛି। ୧୯ ବର୍ଷୀୟ ଲାହୋରି ବିହାରୀ ଭାବେ ଜଣାଶୁଣା। ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ର ଇସାରାରେ ସେ କଶ୍ମୀରରେ ରହି ଆତଙ୍କବାଦୀମାନଙ୍କୁ ନିଯୁକ୍ତି ଦେଉଥିଲା। ଆଇଇଡି ତିଆରି କରିବାରେ ମଧ୍ୟ ସେ ପାରଙ୍ଗମ ଥିଲା। ଦକ୍ଷିଣ କଶ୍ମୀରର ବିଭିନ୍ନ ସ୍ଥାନରେ ସେ ଆଇଡି ଆକ୍ରମଣ କରିଛି। ମୁନ୍ନା ଲାହୋରି ଗତବର୍ଷ ପାକିସ୍ତାନରୁ କଶ୍ମୀରକୁ ପଶିବାରେ ସକ୍ଷମ ହୋଇଥିଲା। ସେ ବିସ୍ଫୋରକ ପ୍ରସ୍ତୁତ କରିବା ସହ ଏହାକୁ ସେନା ଗାଡ଼ି ଏବଂ ବିଭିନ୍ନ ସ୍ଥାନରେ ଖଞ୍ଜିବାରେ ବିଶେଷ ଦଖଲ ରଖୁଥିଲା । ସୋପିଆନ୍‌ର ବୋନବଜାର ଅଞ୍ଚଳ ସ୍ଥିତ ବନ୍ଦେ ମୋହାଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷାବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରିଥିଲେ। ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବାପରେ ପ୍ରାୟ ୩ ଘଣ୍ଟା ଗୁଳି ବିନିମୟ ହୋଇଥିଲା। ମୃତ ଦୁଇ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଦକ୍ଷିଣ କଶ୍ମୀରରେ ଅପରେସନ୍‌ ଅଲ୍‌ ଆଉଟ୍‌ ପାଇଁ ଆଜି ଅଧିକ ସଂଖ୍ୟାରେ ଯବାନ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର