ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ପୃଥକ୍ ଏନ୍କାଉଣ୍ଟରରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଚଳିତ ମାସରେ ନାଗରିକଙ୍କୁ ଟାର୍ଗେଟ୍ କରି ଆକ୍ରମଣ ହେବାପରେ କାଉଣ୍ଟର ଅପରେସନ୍ ଆରମ୍ଭ ହୋଇଛି। ନିପାତ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ନିକଟରେ ସ୍ଥାନୀୟ ବ୍ୟବାସୟୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା। ଗତକାଲି ସନ୍ଧ୍ୟାରୁ ସୋପିଆନରେ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା। ରାତି ସାରା ଜାରି ରହିଥିବା ଅପରେସନ୍ରେ ଏଲ୍ଇଟି (ଟିଆରଏଫ୍)ର ୩ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହାପରେ ପୁଣି ଫିରିପୁରାରେ ଅନ୍ୟ ଏକ ଅପରେସନ୍ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବବାଦୀଙ୍କଠାରୁ ଏକେ-୪୭ ସମେତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ଉଲ୍ଳେଖଯୋଗ୍ୟ, ଗତକାଲି ପୁଞ୍ଚରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୫ ଯବାନ ସହିଦ ହୋଇଯାଇଥିଲେ। ଏହାପରେ ସୋପିଆନରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସେନା, ସିଆରପିଏଫ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ ଦ୍ବାରା ଆରମ୍ଭ ହୋଇଥିବା ସର୍ଚ୍ଚ୍ ଅପରେସନ୍ ଏବେ ବି ଜାରି ରହିଛି। ନିପାତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକୁ ମୁଖତାର ଶାହ ଗନ୍ଦେରୱାଲ୍ ବୋଲି ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଆତଙ୍କବାଦୀ ହେଉଛନ୍ତି ଡାନିଶ ଅହମଦ ଏବଂ ଯୱର ଅହମଦ। ଗତ ୩୬ ଘଣ୍ଟା ମଧ୍ୟରେ ୭ ଆତଙ୍କବାଦୀ ନିପାତ ହୋଇଛନ୍ତି।