ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରାସ୍ତାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯାଉଛନ୍ତି। ସରକାରଙ୍କ ପ୍ରତି ସଂଖ୍ୟା ଦୃଷ୍ଟିରୁ କୌଣସି ବିପଦ ନଥିଲେ ମଧ୍ୟ କେଜ୍ରିୱାଲ ଯେଭଳି ଦିଲ୍ଲୀ ବିଧାନସଭାରେ ଆସ୍ଥା ପରୀକ୍ଷା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ମଧ୍ୟ ଆଜି ସେଭଳି ଆୟୋଜନ କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ମଧ୍ୟ ସମାନ। ସେମାନେ ସରକାରରେ ଅସ୍ଥିରତା ପାଇଁ ବିଜେପିକୁ ହିଁ ଦାୟୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଆସ୍ଥା ଭୋଟ୍ର କୌଣସି ପ୍ରୟୋଜନ ନଥିଲେ ମଧ୍ୟ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ ମୋଟ ୭୦ ବିଧାୟକଙ୍କ ମଧ୍ୟରୁ ଆପ୍ର ୬୨ ଜଣ ବିଧାୟକ ଥିବାବେଳେ ସରକାରଙ୍କ ସପକ୍ଷରେ ୫୮ ଭୋଟ ମିଳିଥିଲା। ସତ୍ୟେନ୍ଦ୍ର ଜୈନ ଜେଲ୍ରେ ଥିବାବେଳେ ୨ ଜଣ ବିଧାୟକ ବିଦେଶ ଗସ୍ତରେ ଏବଂ ଜଣେ ବିଧାୟକ ଉପବାଚସ୍ପତି ଅଛନ୍ତି।
ସେହିଭଳି ୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମ ମେଣ୍ଟର ୫୨ ଜଣ ବିଧାୟକ ଅଛନ୍ତି। ଲାଞ୍ଚ ଅଭିଯୋଗରେ କଂଗ୍ରେସର ୩ ଜଣ ବିଧାୟକ ନିଲମ୍ବିତ ହେବା ପୂର୍ବରୁ ମେଣ୍ଟର ସ୍ଥିତି ଏପରି ଥିଲା। କିନ୍ତୁ ନିଲମ୍ବନ ପରେ ମେଣ୍ଟର ବିଧାୟକଙ୍କ ସଂଖ୍ୟା ୪୯କୁ ହ୍ରାସ ପାଇଛି। କିନ୍ତୁ ଆସ୍ଥା ଭୋଟ ଜିତିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୪୨। ଦିଲ୍ଲୀରେ ଆସ୍ଥା ଭୋଟ ଆଗତ ବେଳେ କେଜ୍ରିୱାଲ ବିଜେପି ଉପରେ ବର୍ଷିଥିଲେ। ଆପ୍ର ୧୨ ଜଣ ବିଧାୟକଙ୍କୁ କିଣିବା ପାଇଁ ବିଜେପି ୨୦ କୋଟି ଟଙ୍କା ଲେଖାଏଁ ଦେବାକୁ ଚେଷ୍ଟା କରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏଥିସହି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମଧ୍ୟ ପ୍ରଲୋଭିତ କରାଯାଇଥିବା କୁହାଯାଇଥିଲା। କିନ୍ତୁ ଏ ନେଇ କୌଣସି ପ୍ରମାଣ ଏପର୍ଯ୍ୟନ୍ତ ଆପ୍ ପକ୍ଷରୁ ଦିଆଯାଇନାହିଁ। ସେହିଭଳି ସୋରେନ ବିଧାନସଭାରେ ବିଜେପିକୁ ଟାର୍ଗେଟ୍ କରିବେ ବୋଲି ଅନୁମାନ କରାଯାଉଛି। ଝାଡ଼ଖଣ୍ଡ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ପ୍ରଚେଷ୍ଟା କରୁଥିବା ଅଭିଯୋଗ କରି ମେଣ୍ଟର ପାଖାପାଖି ୩ ଡଜନ ବିଧାୟକଙ୍କୁ ନେଇ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁରରେ ରଖାଯାଇଥିଲା।
ଅନ୍ୟପକ୍ଷରେ ସୋମବାର ଝାଡ଼ଖଣ୍ଡ ରାଜ୍ୟପାଳ ରମେଶ ବୈସ୍ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ଝଟ୍କା ଦେଇପାରନ୍ତି। ଲାଭଜନକ ପଦବିରେ ରହିଥିବା ଅଭିଯୋଗରେ ନିର୍ବାଚନ କମିସନ ଯେଉଁ ରିପୋର୍ଟ ଦେଇଛନ୍ତି ରାଜ୍ୟପାଳ ତାହାକୁ ସୋମବାର ସାର୍ବଜନୀନ କରି ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିପାରନ୍ତି। ଏଭଳି ସ୍ଥିତିରେ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ପ୍ରଥମେ ଇସ୍ତଫା ଦେବେ ଏବଂ ପରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ୬ ମାସ ମଧ୍ୟରେ ବିଧାୟକ ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/5f4h654sfh654fhs65sfh4hf6.jpg)