ଲୋକସଭାରେ ପାରିତ ହେଲା ସରୋଗେସି ରେଗୁଲେସନ ବିଲ୍ : ବ୍ୟାବସାୟିକ ଓ ବେଆଇନ ସରୋଗେସି ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ:  ଆଜି ଲୋକସଭାରେ ପାରିତ ହୋଇଛି ସରୋଗେସି ରେଗୁଲେସନ ବିଲ୍ ବା ସରୋଗେସି ନିୟନ୍ତ୍ରଣ ବିଧେୟକ । ଏହା ଫଳରେ ବ୍ୟାବସାୟିକ ଓ ବେଆଇନ ଭାବେ କରାଯାଉଥିବା ସରୋଗେସି ଶିଶୁ ଜନ୍ମ ଉପରେ ଲାଗିବ ନିୟନ୍ତ୍ରଣ ।  ବିରୋଧୀଙ୍କ କେତେକ ସଂଶୋଧନ ପ୍ରସ୍ତାବ ପରେ  ଲୋକସଭାରେ ବହୁ ମତରେ ପାରିତ ହୋଇଛି ଏହି ବିଲ୍ ।
ସଂସଦରେ ବୁଧବାର ଗୃହୀତ ହୋଇଛି ସରୋଗେସୀ ବିଲ୍ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହି ବିଲ ସଦନରେ ଆଗତ କରିବା ସହ ଏହା ନାରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନାରୁ ମୁକ୍ତି ଦେବାର ଏକ ବାଟ ବୋଲି କହିଥିଲେ । ସରୋଗେସୀ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ତାଙ୍କ କୋଳରେ ଖେଳିବ । ଫଳରେ ସମାଜ ଭିତରେ ଛୁଆ ଜନ୍ମ କରି ନ ପାରି ନିର୍ଯାତନା ପାଉଥିବା ମହିଳାଙ୍କୁ ବଡ ଆଶ୍ୱସ୍ତି ମିଳିବ ।
ସୂଚନାଯୋଗ୍ୟ,ଯେତେବେଳେ ପତ୍ନୀ ଗର୍ଭଧାରଣ କରିବାକୁ ଅକ୍ଷମ ଥିବ ଏବଂ ସ୍ୱାମୀର ଶୁକ୍ରାଣୁରେ କୌଣସି ସମସ୍ୟା ନଥିବ, ସେତେବେଳେ ଅନ୍ୟ ଜଣେ ମହିଳାଙ୍କ ଗର୍ଭରେ ନିଜ ସ୍ୱାମୀଙ୍କ ଶୁକ୍ରାଣୁ ସ୍ଥାପନ କରି ଶିଶୁକୁ ଜନ୍ମ କରାଇବା ହେଉଛି ସରୋଗେସୀ ।
କିନ୍ତୁ ଏହି ବ୍ୟବସ୍ଥାକୁ ନେଇ ବହୁ ବିବାଦ ରହିଛି । ବ୍ୟବସାୟିକ ଭାବେ କରାଯାଉଥିବା ସରୋଗେସି ଉପରେ କଟକଣା ଲଗାଇବାକୁ କେତେକ ବିରୋଧୀ ସାଂସଦ ମତ ରଖିଛନ୍ତି । ଏହି ବ୍ୟବସ୍ଥା ନେଇ ବିଦେଶରେ ମଧ୍ୟ କଟକଣା ଥିବା ବେଳେ ବିଲ୍ ନେଇ ଅଧିକ ଆଲୋଚନା କରିବାକୁ ମତ ଦେଇଥିଲେ ବିରୋଧୀ ସାଂସଦ । ସୁପ୍ରିମକୋର୍ଟ ଏବଂ ବିଧି ଆୟୋଗଙ୍କ ସୁପାରିଶ ଆଧାରରେ ଏହି ବିଲ ପ୍ରସ୍ତୁତ ହୋଇଛି ଏବଂ ଅତ୍ୟାଧୁନିକ ବିଜ୍ଞାନର ଉପଯୋଗ କରି କୌଣସି ପରିବାରରେ ଦାୟାଦ ଜନ୍ମହେବା ଖୁସିର କଥା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ତେବେ ବ୍ୟାବସାୟିକ ସରୋଗେସୀ ବନ୍ଦ କରିବା ପାଇଁ ହିଁ ବିଲ୍ ଆସିଛି ବୋଲି ସରକାର କହିବା ସହ ବିଲ୍ ଲୋକସଭାରେ ପାରିତ ହୋଇଛି ।
ସମ୍ବନ୍ଧିତ ଖବର