ମାଲାପୁରମ୍‌ (କେରଳ): ଦେଶର ଏକମାତ୍ର ଶତ ପ୍ରତିଶତ ସାକ୍ଷରତା ହାର ରହିଥିବା ରାଜ୍ୟ କେରଳରେ ଘଟିଥିବା ଏକ ଲଜ୍ଜାଜନକ ଜଘନ୍ୟ ଅପରାଧ ଏବେ କେବଳ ମାତ୍ର କେରଳ ନୁହେଁ; ବରଂ ସମଗ୍ର ଦେଶର ମୁହଁରେ କଳା ବୋଳି ଦେଇଛି। ନିଜ ପରିବାରର ପ୍ରତିପୋଷଣ ପାଇଁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜନୈକା ୧୨ ବର୍ଷ ବୟସ୍କା ନାବାଳିକା ବିଗତ ଦୁଇ ବର୍ଷ ଧରି ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଆସୁଥିବା ନିଜ ମୁହଁରେ ସ୍ୱୀକାର କରିବା ପରେ ଆମର ତଥାକଥିତ ସଭ୍ୟ ସମାଜ ତଟସ୍ଥ ହୋଇ ରହିଯାଇଛି। କେରଳର ମାଲାପୁରମ ଜିଲ୍ଲାରେ ଏକ ବିଦ୍ୟାଳୟର ଛାତ୍ରୀ ଥିବା ଏହି ନାବାଳିକା ଜଣକ, ବିଦ୍ୟାଳୟରେ ଚାଲିଥିବା ଏକ କାଉନ୍‌ସେଲିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ତା’ ଉପରେ ଚାଲିଥିବା ଏହି ଜଘନ୍ୟ ଯୌନ ନିର୍ଯାତନାକୁ ପ୍ରକାଶ କରିଥିଲା। ନାବାଳିକାଟିର ନିର୍ଯାତନାର କାହାଣୀ ଯେତିକି ଜଘନ୍ୟ ତା’ଠାରୁ ଅଧିକ କରୁଣ।

Advertisment

publive-image Mirror

ନାବାଳିକାଟିର ବୟାନ ଅନୁଯାୟୀ, ତା’ ଉପରେ ଯୌନ ନିର୍ଯାତନା ଆରମ୍ଭ ହୋଇଥିଲା ୨ ବର୍ଷ ତଳୁ, ତାକୁ ବୟସ ଯେତେବେଳେ ହୋଇଥିଲା ମାତ୍ର ୧୦। ତା’ ପିତାର ଜଣେ ସାଙ୍ଗ ତାକୁ ଦୁଷ୍କର୍ମ କରିବା ପରେ ପ୍ରତିବଦଳରେ ତା’ ପିତାକୁ ଦେଇ ଯାଇଥିଲା କିଛି ଅର୍ଥ। ଆଉ ଯେଉଁ ଅର୍ଥକୁ ତା’ ପିତା ଘର ଚଳାଇବା ପାଇଁ ଖର୍ଚ୍ଚ କରିଥିଲା। ଏହାପରେ ଏହା ଏକ ନିୟମିତ ବ୍ୟାପାରରେ ପରିଣତ ହୋଇଥିଲା। ପ୍ରତି ରାତିରେ ଆସୁଥିଲେ ନୂଆ ନୂଆ ବ୍ୟକ୍ତି ଓ ତାକୁ ଦୁଷ୍କର୍ମ କରିବା ପରେ ପ୍ରତିବଦଳରେ ଦେଇ ଯାଉଥିଲେ କିଛି ଅର୍ଥ। ଏହିକ୍ରମରେ ବିଗତ ଦୁଇ ବର୍ଷ ମଧ୍ୟରେ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ତାକୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇଥିବା କହିଛି ପୀଡ଼ିତା ନାବାଳିକା।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କାଉନ୍‌ସେଲିଂ କରିବା ଉଦ୍ଦେଶ୍ୟରେ ଆସିଥିବା ଅଧିକାରୀମାନେ ଯେତେବେଳେ ଛାତ୍ରୀଟିକୁ ପଚାରିଥିଲେ,‘ଆଉ ତୁମ ପରିବାରର ଖବର କ’ଣ? ପରିବାରରେ କ’ଣ ସବୁ ଚାଲିଛି’? ସେତେବେଳେ ଛାତ୍ରୀଟି ଆଉ ତା’ର କୋହକୁ ସମ୍ବରଣ କରିପାରି ନଥିଲା। ଅଧିକାରୀମାନଙ୍କ ସମ୍ମୁଖରେ କାନ୍ଦିବାକୁ ଆରମ୍ଭ କରିଥିଲା। ଅଧିକାରୀମାନେ ତାକୁ ପ୍ରବୋଧନା ଦେବା ପରେ ସବୁ କିଛି ସେମାନଙ୍କୁ କହିବାକୁ ଆରମ୍ଭ କରିଥିଲା। ନାବିଳିକାଟି କହିଥିଲା, ସ୍କୁଲ ଠାରୁ ମାତ୍ର ୫୦୦ ମିଟର ଦୂରରେ ତା’ ବାପା ଭଡ଼ା ସୂତ୍ରରେ ନେଇଥିବା ଏକ ଦୁଇ ବଖୁରିଆ ଛୋଟିଆ ଘରେ ସେ ରୁହେ। ଘରେ ତା’ର ବାପା ମା’ ଆଉ ରୋଗୀଣା ବୁଢ଼ିମା। ବାପା ତା’ର କୌଣସି କାମଧନ୍ଦା କରେନାହିଁ। ପରିବାର ଚଳାଇବାକୁ ତା’ ମା’କୁ ଦୀର୍ଘ ଦିନ ତଳୁ ଦେହ ବ୍ୟବସାୟରେ ଲଗାଇଥିଲା ବାପା। ହେଲେ, ବୁଢ଼ିମାର ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ୁଥିବାରୁ ସେ ତା’ ସହ ବି ଏବେ ଏପରି କରୁଥିଲା।

publive-image Times of India

ଏତେ ସବୁ କିଛି କହିଦେବା ପରେ ସେ ଭୟଭୀତ ହୋଇ ପଡ଼ିଥିଲା। କାଳେ ବାପାକୁ ପୁଲିସ୍‌ ଗିରଫ କରିନେବ? ସେମାନଙ୍କ ଘର କେମିତି ଚଳିବ? ସେଇ ଚିନ୍ତାରେ ସେ ଚନ୍ତିତ ହୋଇ ପଡ଼ିଥିଲା। ତା’ ବାପା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଅନୁରୋଧ କରୁଥିଲା ଅଧିକାରୀମାନଙ୍କୁ। ଶେଷରେ ଅଧିକାରୀମାନେ ତାକୁ ଘରକୁ ନଛାଡ଼ି ସେମାନଙ୍କ ସହ ଏକ ମହିଳା ଆଶ୍ରୟ ସ୍ଥଳୀକୁ ନେବାକୁ ବାହାରିଲେ ସେତେବେଳେ ରାଜି ହୋଇ ନଥିଲା। କହିଥିଲା ସେ ଚାଲିଗଲେ ତାଙ୍କ ଘର ଚଳିବ କେମିତି? ଶେଷରେ ଅଧିକାରୀମାନେ ତାକୁ ବଳପୂର୍ବକ ସାଙ୍ଗରେ ନେବାକୁ ବାହାରିବାରୁ ସେ ଅଧିକାରୀମାନଙ୍କୁ କିଛି ସମୟ ମାଗିଥିଲା ତା’ ମା’କୁ ଦେଖା କରି ଆସିବାକୁ। ଅଧିକାରୀମାନେ ତାକୁ ଅନୁମତି ଦେବା ସହ ତା’ ସହ ଯାଇଥିଲେ। ହେଲେ, ଘରେ ସେତେବେଳେ ତା’ର ମା’ ନଥିଲା। ତହୁଁ, ନାବାଳିକାଟି ପାଖରେ ଥିବା ଚକ୍‌ଖଡ଼ିରେ ଘରର କାଠ କବାଟ ଉପରେ ‘ସରି ଆମ୍ମା’ (ମା’ ଦୁଃଖିତ) ବୋଲି ଲେଖିଦେବା ପରେ ଅଧିକାରୀମାନଙ୍କ ସହ ମହିଳା ଆଶ୍ର୍ରୟସ୍ଥଳୀକୁ ଚାଲି ଯାଇଥିଲା।