ନୂଆଦିଲ୍ଲୀ : ‘ଏକ୍ସଚେଞ୍ଜ୍ ଫର୍ ମିଡିଆ’ ପକ୍ଷରୁ ଜାତୀୟ ପୁରସ୍କାର ନିମନ୍ତେ ଗଠିତ ଜୁରି କମିଟିରେ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଥିବାବେଳେ ଏଥିରେ ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତି ସଦସ୍ୟ ରହିଛନ୍ତି।
୨୦୦୪ ମସିହାରେ ପ୍ରତିଷ୍ଠିତ ‘ଏକ୍ସଚେଞ୍ଜ୍ ଫର୍ ମିଡିଆ’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତଥର ‘ନ୍ୟୁଜ୍ ବ୍ରଡ୍କାଷ୍ଟିଙ୍ଗ୍ ଆୱାର୍ଡ ପ୍ରଦାନ କରାଯାଉଛି। ଶ୍ରେଷ୍ଠ ଟେଲିଭିଜନ ଖବରକୁ ମାନ୍ୟତା ପ୍ରଦାନ ସହିତ ଟେଲିଭିଜନ ପ୍ରସାରଣରେ ଭବିଷ୍ୟ ରୂପରେଖ ଦେଇଥିବା ବ୍ରଡ୍କାଷ୍ଟର୍ ବା ପ୍ରସାରଣକର୍ତ୍ତା ଓ ଶିଳ୍ପ ନେତୃତ୍ବକୁ ପୁରସ୍କୃତ କରିବା ପାଇଁ ୨୦୦୮ ମସିହାଠାରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି। ୨୦୦୯ ମସିହା ପାଇଁ ଦିଆଯାଉଥିବା ଚଳିତବର୍ଷର ପୁରସ୍କାର ହେଉଛି ଏହାର ୧୩ତମ ସଂସ୍କରଣ।
ସୂଚନା ଅନୁସାରେ, ୨୦୧୯ ମସିହାରେ ଜାତୀୟ ସ୍ତରର ଶ୍ରେଷ୍ଠ ଚ୍ୟାନେଲ୍, ଶ୍ରେଷ୍ଠ ସିିଇଓ, ଶ୍ରେଷ୍ଠ ମୁଖ୍ୟ ସମ୍ପାଦକ, ଶ୍ରେଷ୍ଠ ଭାଷ୍ୟକାରଙ୍କୁ ଆସନ୍ତା ୨୨ ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।
ପ୍ରକାଶଥାଉକି, ଗତ ୬ଟି ସଂସ୍କରଣ ଜୁରିକମିଟିର ନେତୃତ୍ବ ନେଇଥିଲେ ନାସକମ୍ର ପୂର୍ବତନ ଅଧ୍ୟକ୍ଷ ଡ. କିରଣ କାର୍ଣ୍ଣିକ, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଡ. ନାସିମ ଜୈଦୀ ଓ ଏସ୍.ୱାଇ.କ୍ବେରେସି, ଦ ହିନ୍ଦୁର ପୂର୍ବତନ ମୁଖ୍ୟ ସମ୍ପାଦକ ଏନ୍.ରାମ ଏବଂ ଷ୍ଟାର୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଭଳି ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତି। ସେହିଭଳି, ଆରିଫ୍ ଅହମ୍ମଦ ଖାଁ, ଶ୍ୟାମ ବେନଗଲ, ବିନୋଦ ଦୁଆଙ୍କ ଭଳି ବ୍ୟକ୍ତିତ୍ବ ଜୁରି କମିଟି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି।