ନୂଆଦିଲ୍ଲୀ: ୨୦୦୮ରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍ଙ୍କୁ ଦିଲ୍ଲୀରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ହତ୍ୟା ଓ ଲୁଟ୍ ଅଭିଯୋଗରେ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲ୍ଲିକ ଓ ଅଜୟ କୁମାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିଥିବା ପାଇଁ ଅଜୟ ସେଠୀକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।
ଦିଲ୍ଲୀର ସାକେତ କୋର୍ଟ ଅପରାଧର ୧୫ ବର୍ଷ ପରେ ରାୟ ପ୍ରକାଶ କରିବା ପରେ ଏହି ରାୟକୁ ଅପେକ୍ଷା କରି ରହିଥିବା ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍ଙ୍କ ବାପା ଓ ମା’ଙ୍କ ଠାରୁ ଆରମ୍ଭ କରି ତାଙ୍କ ସମ୍ପର୍କୀୟ, ସହଯୋଗୀ ଓ ସାଙ୍ଗସାଥୀ ସମସ୍ତେ ଆଶ୍ବସ୍ତି ଲାଭ କରିଛନ୍ତି। କେବଳ ଅପେକ୍ଷା ରହିଲା ଅକ୍ଟୋବର ୨୩କୁ । ଯେଉଁଦିନ ଏହି ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦଣ୍ଡର ଶୁଣାଣି କରିବେ।
ତେବେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କୁ ହତ୍ୟା କରାଯିବାର ୧୫ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇବା ପରେ ସୌମ୍ୟାଙ୍କ ମା’ କୋର୍ଟ ପରିସରରେ ଦିଲ୍ଲୀର ମୁଖ୍ୟ ପୁଲିସ ଅଧିକାରୀଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଏହି ସମୟରେ ସେ ନିଜର କୋହକୁ ଅଟକାଇ ନପାରି ଭୋଭୋ ହୋଇ କାନ୍ଦିଥିଲେ।
ଆଉ କହିଥିଲେ, ‘ଦିନକୁ ଦିନ ବୟସ ବୃଦ୍ଧି ପାଇବାରେ ଲାଗିଛି। ମାମଲା ଲଢ଼ିବାକୁ ବି ଶକ୍ତି ନାହିଁ। କାରଣ ସୌମ୍ୟାଙ୍କ ମୃତ୍ୟୁ ପରେ ଆମେ ବାପା ଓ ମା’ ନୁହେଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛୁ। ଏଭଳି ସମୟରେ କୋର୍ଟଙ୍କ ଏହି ରାୟ ଆଶ୍ବସ୍ତି ଦେଇଛି।’