ଆସନ୍ତାକାଲି ଉଡ୍‌ଲାଣ୍ଡସ‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ସୌରଭ ଗାଙ୍ଗୁଲି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଉଡ୍‌ଲାଣ୍ଡସ‌ ହସ୍ପିଟାଲ୍‌ରୁ ଆ‌ସନ୍ତାକାଲି ଡିସ୍‌ଚାର୍ଜ କରାଯିବ। ହସ୍ପିଟାଲ୍‌ର ଏମ୍‌ଡି ତଥା ସିଇଓ ରୁପାଲୀ ବାସୁଙ୍କ କହିବାନୁସାରେ ଘରେ ପ୍ରତିଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖିବା ଜରୁରି।

ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ଜିମରେ ବ୍ୟାୟାମ କରୁଥିବା ବେଳେ ଗାଙ୍ଗୁଲି ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଥା ଡାକ୍ତର ସୂଚନା ଦେଇଥିଲେ। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌ା ଦେଇଥିବା ଡାକ୍ତରମାନେ ସେ ସମୟରେ କହିଥିଲେ।

ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ। ରବିବାର  ଦିନ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଥିଲା। ତେବେ ଗାଙ୍ଗୁଲି ଏବେ ବିପଦ ମୁକ୍ତ ଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର