ଜାକୋବ ଜୁମାଙ୍କ ଇସ୍ତଫା ପରେ ଦକ୍ଷିଣ ଆଫ୍ରିକାକୁ ମିଳିଲା ନୂଆ ରାଷ୍ଟ୍ରପତି

ଜୋହାନେସବର୍ଗ: ଜାକୋବ ଜୁମା ବୁଧବାର ଇସ୍ତଫା ଦେବା ପରେ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ନୂଆ ରାଷ୍ଟ୍ରପତି ମିଳିଛି। ୯ବର୍ଷ ରାଷ୍ଟ୍ରପତି ପଦରେ ରହିବା ପରେ କିଛି ଦିନ ହେବ ଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ଆଫ୍ରିକାନ୍‌ ନ୍ୟାସନାଲ କଂଗ୍ରେସ(ଏଏନ୍‌ସି) ପକ୍ଷରୁ ପଦ ଛାଡ଼ିବାକୁ ଜୁମାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ଏହି ଇସ୍ତଫା ସହିତ ଜୁମାଙ୍କ ୯ ବର୍ଷର ଶାସନ ଅନ୍ତ ଘଟିଛି।

ଜୁମା ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ସିରିଲ ରାମଫୋସାକୁ ନିର୍ବିରୋଧରେ ନୂଆ ରାଷ୍ଟ୍ରପତି ଭାବରେ ଚୟନ କରାଯାଇଛି। ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଆସେମ୍‌ବ୍ଲି ରାମଫୋସାଙ୍କୁ ନିର୍ବିରୋଧରେ ରାଷ୍ଟ୍ରପତି ଚୟନ କରିଛି। ପାର୍ଟି ଦ୍ୱାରା ସଂସଦରେ ହୋଇଥିବା ଚୟନବେଳେ ରାମଫୋସାଙ୍କୁ ବିପୁଳ ସମର୍ଥନ ମିଳିଥିଲା।

୬୫ ବର୍ଷିଅ ସିରିଲ ରାମଫୋସାଙ୍କୁ ୨ ମାସ ପୂର୍ବରୁ ଆଫ୍ରିକାନ୍‌ ନ୍ୟାସନାଲ କଂଗ୍ରେସ(ଏଏନ୍‌ସି)ର ଅଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା। ୭୫ ବର୍ଷିଅ ଜୁମାଙ୍କ ବିରୋଧରେ ନିୟମିତ ଭାବରେ ଅଭିଯୋଗ ଆସିଥିବାରୁ ଏଏନ୍‌ସି ଚିନ୍ତିତ ଥିଲା। ସେଥିପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଜୁମାଙ୍କୁ ପଦ ଛାଡ଼ିବା ପାଇଁ କୁହାଯାଇଥିଲା। ନିଜର ପ୍ରତିଷ୍ଠା ଜାରି ରଖିବା ପାଇଁ ଏଏନ୍‌ସି ଗତ ବର୍ଷ ଡିସେମ୍ବରରେ ଜୁମାଙ୍କୁ ବହିଷ୍କାର କରି ରାମଫୋସାଙ୍କୁ ପାର୍ଟିର ଅଧ୍ୟକ୍ଷ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର